ଆଜି ଦଶମୂଳ ଲାଗି ହେବେ ଦାରୁଦିଅଁ

ପୁରୀ ଅଫିସ,୧୭ା୬: ଅଣସରରେ ଥିବା ମହାପ୍ରଭୁ ବୁଧବାର ଦଶମୂଳ ଲାଗି ହେବେ। ଜ୍ୱରରେ ପୀଡ଼ିତ ଦାରୁଦିଅଁ ଦଶମୂଳ ଲାଗି ହେଲେ ସୁସ୍ଥ ହୁଅନ୍ତି। ଏଥିଲାଗି ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ଦଶମୂଳ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିଛନ୍ତି। ବୈଦ୍ୟ ସେବକ କହିଛନ୍ତି, ଦଶମୂଳ ହେଉଛି ମହାପ୍ରଭୁଙ୍କ ଔଷଧ। ଏକମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁ ପଡ଼ିିଥାଏ। ସ୍ନାନପୂର୍ଣ୍ଣିମା ପରେ ଦଶମୂଳ ଯଥା ଗମ୍ଭାରୀ, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି, ଅଗବଥୁ, ଲବିଂ କୋଳି, ବେଲ, ଅଙ୍କରାନ୍ତି, ଗୋଖରା ଏବଂ ନବାଙ୍କୁରୀକୁ ଶୁଖାଯାଇଥାଏ। ଏହାକୁ ହେମଦସ୍ତାରେ କୁଟି ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଏ। ନୂତନ କାଠଚୁଲିରେ କଡ଼େଇ ବସାଯାଇ ଖୁଆ, ଶର୍କରା, ସର, ମହୁ, ଘିଅ, ଅଳ୍ପ ଭାଙ୍ଗ ଇତ୍ୟାଦି ପକାଯାଇ ଦଶମୂଳକୁ ପାଗ କରାଯାଏ। ପାଗ ପରେ ତାହାକୁ ଥଣ୍ଡା କରି ଗୋଲାକାର ମୋଦକ ପ୍ରସ୍ତୁତ କରାଯାଏ। ୩ଟି କୁଡୁଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କର୍ପୂର ପକାଇ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଏ। ଏଥିପାଇଁ ୧୦ ଦିନ ଶୁଦ୍ଧପୂତ ଭାବେ ରହି ବୈଦ୍ୟ ସେବକଙ୍କୁ ଅରୁଆ ଅନ୍ନ ଖାଇବାକୁ ପଡ଼ିିଥାଏ।
ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁ ମାନବୀୟ ଲୀଳା କରିଥାନ୍ତି। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାବିଗ୍ରହ ୧୦୮ଗଡୁ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୁଅନ୍ତି। ଏହା ପରଠାରୁ ଆଷାଢ଼ କୃଷ୍ଣ ଦଶମୀ ଯାଏ ମହାପ୍ରଭୁ ଧଳାବସ୍ତ୍ର ପରିଧାନ କରିଥାନ୍ତି। ଠାକୁରଙ୍କୁ ଧଳା ଫୁଲ ଲାଗି ହୋଇଥାଏ। ଆଷାଢ କୃଷ୍ଣ ଏକାଦଶୀରେ ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ ଏବଂ ଶ୍ରୀବିଗ୍ରହଙ୍କୁ ତୁଳସୀ ଲାଗି ହେବ। ଏହାପରେ ଜ୍ୱରରୁ ଉପଶମ ଲାଗି ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ।

Share