ଆଜି ଦୀପ୍‌ବୀରଙ୍କ ବିବାହ ବାର୍ଷିକୀ: ଆଶୀର୍ବାଦ ପାଇଁ ତିରୁପତିରେ ପହଞ୍ଚିଲେ ଦମ୍ପତି

ବମ୍ବେ: ବିବାହକୁ ହିଁ ପ୍ରେମର ସଫଳତା ବୋଲି କୁହାଯାଇଥାଏ। ବଲିଉଡରେ ଅନେକ ପ୍ରେମକାହାଣୀ ଅଛ, ଯାହା ବିବାହ ପର୍ଯ୍ୟନ୍ତ ନ ଯାଇ ଅଧାରେ ଅଟକି ଯାଇଛି। ହେଲେ ଯେଉଁ କେତେଜଣ ପ୍ରେମୀଯୁଗଳ ଏଥିରେ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଲେ ରଣବୀର ସିଂହ-ଦୀପିକା ପାଦୁକୋନ୍‌। ଦୀର୍ଘ ଛଅ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତବର୍ଷ ଆଜିର ଦିନରେ ଇଟାଲୀର ଲେକ୍‌ କୋମୋରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦିନଟି ସ୍ମରଣୀୟ ହୋଇଥିବାରୁ ଏହାକୁ ପାଳିବା ପାଇଁ ରଣବୀର ଏବଂ ଦୀପିକା ପରିବାର ସହ ତିରୁପତିସ୍ଥିତ ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରକୁ ଯାଉଥିବା ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦୀପିକା ଓ ରଣବୀର ବେଶ୍‌ ସୁନ୍ଦର ଲାଗୁଛନ୍ତି। ଲାଲ୍‌ ରଙ୍ଗର ଶାଢ଼ିରେ ସିନ୍ଥି ଭରିଛନ୍ତି ଦୀପିକା। ଏଥିସହ ସେ ପିନ୍ଧିଥିବା ଗହଣା ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ସେହିଭଳି ରଣବୀର ମଧ୍ୟ ଦୀପିକାଙ୍କୁ କମ୍ପ୍ଲିମେଣ୍ଟ ଦେଉଛନ୍ତି। ଧଳା ରଙ୍ଗର କୁର୍ତ୍ତା ସହ ସୁନେଲୀ ରଙ୍ଗର ଜ୍ୟାକେଟ ଏବଂ ଲାଲ ରଙ୍ଗର ଶାଲ୍‌ ସେ ପିନ୍ଧିଛନ୍ତି। ଫଟୋଗୁଡ଼ିକୁ ଦେଖି ଅନେକେ ‘ରବ୍‌ ନେ ବନାଦି ଯୋଡ଼ି’, ‘ଶ୍ରେଷ୍ଠ ଯୋଡ଼ି’ ଭଳି ପ୍ରତିକ୍ରିୟା ଦେଉଛନ୍ତି। ଏଥିସହ ବିବାହ ବାର୍ଷିକୀକୁ ନେଇ ଉଭୟଙ୍କ ନିକଟକୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।

Share