ଆଜି ନିର୍ଜଳା ଏକାଦଶୀ: ବ୍ରତଧାରୀଙ୍କୁ ମିଳିଥାଏ ଅନେକ ଫଳ; ଜାଣନ୍ତୁ ମହତ୍ତ୍ୱ

ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିକୁ ‘ନିର୍ଜଳା ଏକାଦଶୀ’ କୁହାଯାଏ। ବର୍ଷକୁ ପଡ଼ିଥିବା ୨୪ ଏକାଦଶୀଠାରୁ ନିର୍ଜଳା ଏକାଦଶୀ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହି ଦିନ ପାଣି ନ ପିଇ ଉପବାସ କରିବାର ପ୍ରଥା ରହିଛି। ଏହାଦ୍ୱାରା ସବୁ ଏକାଦଶୀର ଫଳ ଏକାଥରେ ପ୍ରାପ୍ତ ହୋଇଥାଏ।

ଏହି ଏକାଦଶୀରେ ପାଣି ପିଇବା ମନା। ଖାସ୍‌ ଏଥିପାଇଁ ଏହାର ନାମକରଣ ନିର୍ଜଳା ଏକାଦଶୀ ଭାବେ କରାଯାଇଛି। ଏହି ଦିନ ବ୍ରତ ରଖିଲେ ବ୍ୟକ୍ତିଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତି ହୋଇଥାଏ। ଚଳିତ ବର୍ଷ ଜୁନ୍‌ ୨ ତାରିଖ ଅର୍ଥାତ ଆଜି ଏହି ଏକାଦଶୀ ପଡ଼ିଛି।

ନିର୍ଜଳା ଏକାଦଶୀର ମହତ୍ୱ:
ଏହି ଏକାଦଶୀରେ ନିର୍ଜଳ ରହି ବିଷ୍ଣୁଙ୍କୁ ଆରାଧନା କରାଯାଏ। ବ୍ରତଧାରୀଙ୍କୁ ବର୍ଷର ସବୁ ଏକାଦଶୀର ଫଳ ମିଳିଥାଏ। ଭଗବାନ ବିଷ୍ଣୁ କୃପା ଲାଭ ହୋଇଥାଏ। ତେବେ ଏହି ଦିନ ଉପବାସ କରି ଭୀମ ମୁର୍ଚ୍ଛା ହୋଇଯାଇଥିଲେ। ଏଣୁ ଏହି ଦିନକୁ ଭୀମସେନୀ ଏକାଦଶୀ ବୋଲି ମଧ୍ୟ କୁହାଯାଏ।

କ’ଣ ରହିଥାଏ ପୂଜାବିଧି:
-ସକାଳେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରାଯାଇଥାଏ। ଏହା ପରେ ହଳଦିଆ ପୋଷାକ ପିନ୍ଧି ବିଷ୍ଣୁଙ୍କୁ ପୂଜା କରାଯାଏ।

-ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ, ପଞ୍ଚାମୃତ, ତୁଳସୀ ପତ୍ର ଅର୍ପଣ କରାଯାଏ। ଏହାଫରେ ଶ୍ରୀ ହରି ଏବଂ ମା’ ଲକ୍ଷ୍ମୀଙ୍କ ମନ୍ତ୍ରକୁ ଜପ କରାଯାଏ।

-ବ୍ରତଧାରୀମାନେ ଗରିବମାନଙ୍କୁ ଖାଦ୍ୟ, ପୋଷାକ, ଚପଲ ଆଦି ଦାନ କରିଥାନ୍ତି।

– ଏହି ଏକାଦଶୀ ପାଣି ନ ପିଇ କରିବାର ପରମ୍ପରା ରହିଛି। ହେଲେ ଆବଶ୍ୟକତା ପଡ଼ିଲେ ଏହି ଦିନ ଫଳାହାର ଏବଂ ଜଳୀୟ ଆହାର କରିପାରିବେ।