ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ମଙ୍ଗଳବାର ନବୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଭେଟଘାଟ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟଙ୍କ ମଧ୍ୟରେ କେଉଁ ବିଷୟରେ ମୁଖ୍ୟତଃ ଆଲୋଚନା ହେବ ତାକୁ ନେଇ ରାଜନୈତିକ ମହଲରେ ବିଶେଷ ଚର୍ଚ୍ଚା ଲାଗିରହିଛି। ବାତ୍ୟା ଫନୀରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲା ବିଶେଷ ପ୍ରଭାବିତ ହୋଇଥିବାରୁ ସେଥିପାଇଁ ଅତିରିକ୍ତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏହାସହ ଉଭୟଙ୍କ ମଧ୍ୟରେ କିଛି ରାଜନୈତିକ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପଟେ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ କେତୋଟି ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁ ନ ଥିଲେ। ମାତ୍ର ପୁଣିଥରେ ରାଜ୍ୟରେ ବିଜେଡି ଶାସନ କ୍ଷମତାକୁ ଫେରିବାପରେ ବିଜେଡି ଏବେ ନିଜର ପୂର୍ବ ଆଭିମୁଖ୍ୟର ସାମାନ୍ୟ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ବିଗତ ଦିନରେ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରାଇ ନ ଦେବାକୁ ବାରମ୍ବାର କହି ଆସୁଥିବା ରାଜ୍ୟ ସରକାର ଏବେ ଏ ଦିଗରେ କିନ୍ତୁ ମତ ବଦଳାଇଛନ୍ତି। ସେହିପରି ପିଏମ୍‌ କିଷାନ ଯୋଜନା ମଧ୍ୟ ରାଜ୍ୟ ସରକାର ଓଡ଼ିଶାରେ ଆଗକୁ ଲାଗୁ କରିପାରନ୍ତି ତା’ର ଏକ ସମ୍ଭାବନା ସୃଷ୍ଟି ହୋଇଛି। ଏହି ଦୁଇ ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ଆସନ୍ତା ୧୫ରେ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share