ଆଜି ବର୍ଷା ସମ୍ଭାବନା: ୨୮ରୁ ବଢ଼ିବ ଶୀତ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ଚଳିତ ବର୍ଷ ରାଜ୍ୟରେ ଶୀତ ଏକ ପ୍ରକାର ଗାଏବ ରହିଛି। ଯଦିଓ ହାଲକା ଶୀତ ହେଉଛି ତେବେ ତାହା ଦେହ ଥରାଇବା ଭଳି ହେଉ ନାହିଁ। କେବଳ ସହର ନୁହେଁ ବଣପାହାଡ ଘେରା ଜିଲାରେ ମଧ୍ୟ ହାଡଭଙ୍ଗା ଶୀତ ନାହିଁ। ଉତ୍ତର ଭାରତରୁ ରାଜ୍ୟକୁ ଏ ପର୍ଯ୍ୟନ୍ତ ଥଣ୍ଡା ବାୟୁ ପ୍ରବାହ (କୋଲ୍ଡ ଓ୍ବେଭ୍‌) ଆସି ନାହିଁ। ଚଳିତ ବର୍ଷ ହାଲକା ଶୀତ ରହିବ ବୋଲି ଅନୁମାନ କରାଯାଇଛି। ରାଜ୍ୟରେ ଗତ କିଛି ଦିନ ହେବ ଲଗାତର ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହ ଜାରି ରହିଛି। ଏଥିଯୋଗୁ ରାଜ୍ୟରେ ଶୀତର ପ୍ରକୋପ ବଢୁ ନାହିଁ। ଆକାଶ ମେଘାଚ୍ଛନ୍ନ ରହୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ, ଉପକୂଳ ସମେତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖରୁ ଶୀତ ବଢିବ। ୩୦ ତାରିଖ ଯାଏ ଏହାର ପ୍ରଭାବ ରହିବ। ୩୧ ତାରିଖରୁ ପୁଣି ପାରଦ ଉପର ମୁହଁ। ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୯.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର ଅନ୍ୟାନ୍ୟ ଭାଗରେ ୧୧ରୁ ୧୯ ଡିଗ୍ରୀ ମଧ୍ୟରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୪.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୧୬.୩, ପୁରୀରେ ୧୬.୪, ଅନୁଗୋଳରେ ୧୦, ବାରିପଦାରେ ୧୩.୫, ଝାରସୁଗୁଡାରେ ୧୪.୪, କେନ୍ଦୁଝରରେ ୧୩, ସମ୍ବଲପୁରରେ ୧୩.୭, ସୁନ୍ଦରଗଡ଼ରେ ୧୨.୫, ହୀରାକୁଦରେ ୧୫.୧, ତାଳଚେରରେ ୧୨.୫, ଭବାନୀପାଟଣାରେ ୧୫.୫, ବଲାଙ୍ଗୀରରେ ୧୬, କୋରାପୁଟରେ ୧୩.୨, ଟିଟିଲାଗଡ଼ରେ ୧୨.୬ ଏବଂ ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share