Categories: ବାଣିଜ୍ୟ

ଆଜି ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ ଦେଶବ୍ୟାପି ଅନଶନ

ନୂଆଦିଲ୍ଲୀ, ୨୪-୨: ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀ ସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ଅନଶନ କରାଯିବ। ସରକାର ଘୋଷଣା କରିଥିବା ୬୯ ହଜାର କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜ କାର୍ଯ୍ୟକାରୀ କରାଇବାରେ ବିଳମ୍ବ ହେବାରୁ ସଂଘ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ର କ୍ୟାବିନେଟର ପୁନରୁଦ୍ଧାର ପ୍ୟାକେଜର ତ୍ୱରିତ କାର୍ଯ୍ୟକାରିତା, କର୍ମଚାରୀଙ୍କ ଦାବି ସମାଧାନ ଲାଗି ଏଭଳି ଅନଶନ କରାଯିବ ବୋଲି ଅଲ୍‌ ୟୁନିୟନ୍ସ ଆଣ୍ଡ ଆସୋସିଏଶନ୍ସ ଅଫ୍‌ ବିଏସ୍‌ଏନ୍‌ଏଲ୍‌ (ଏୟୁଏବି) ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ୨୦୧୯ ଅକ୍ଟୋବରରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ୬୮,୭୫୧ କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାଜେକ ଘୋଷଣା କରାଯାଇଥିଲା। କ୍ଷତିରେ ଚାଲୁଥିବା ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ରୁ ପୁନରୁଦ୍ଧାର ପ୍ୟାକେଜ, ୪ଜି ସ୍ପେକ୍ଟ୍ରମ ବଣ୍ଟନ, ଦୁଇ କମ୍ପାନୀର ମିଶ୍ରଣ ଏବଂ ସ୍ବେଚ୍ଛାକୃତ ଅବସର ଯୋଜନା ଏହା ମଧ୍ୟରେ ସାମିଲ ରହିଥିଲା। ଏହା ମଧ୍ୟରେ କେବଳ ଭିଆର୍‌ଏସ୍‌ ସ୍କିମ ଲାଗୁ କରାଯାଇ ୭୮,୫୬୯ କର୍ମଚାରୀଙ୍କୁ ଅବସର ଦିଆଯାଇଛି। ୪ ମାସ ବିତି ଯାଇଥିଲେ ମଧ୍ୟ ବିଏସ୍‌ଏନ୍‌ଏଲ୍‌କୁ ଏବେ ଯାଏ ୪ଜି ସ୍ପେକ୍ଟ୍ରମ ବଣ୍ଟନ କରାଯାଇ ନାହିଁ ବୋଲି ସଂଘ ପକ୍ଷରୁ ସୂଚନା ରହିଛି।

Share