ଆଜି ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ଏହି ବଜେଟର ଆକାର ପ୍ରାୟ ୮୩୦୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ସାଧାରଣ ନିର୍ବାଚନ ପରେ ଏହା ଦ୍ୱିତୀୟ ଅଧିବେଶନ। ପୂର୍ବାପେକ୍ଷା ବିରୋଧୀ ଦଳ ଭାଜପାର ସଂଖ୍ୟା ବୃଦ୍ଧି ପାଇଛି। ସଂଖ୍ୟା ଦୃଷ୍ଟିରୁ କମ୍‌ ହୋଇଥିଲେ ମଧ୍ୟ କଂଗ୍ରେସ ଗୃହ ଭିତରେ ପ୍ରଭାବୀ ପ୍ରଦର୍ଶନ କରୁଛି। ତେଣୁ ବିରୋଧୀଙ୍କ କିପରି ସଫଳ ମୁକାବିଲା କରାଯିବ, ସେ ନେଇ ପୂର୍ବାହ୍ନ ୧୦ଟାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ। ନିକଟରେ ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଉଭୟ ଭାଜପା ଏବଂ କଂଗ୍ରେସ ବିଧାନସଭାରେ ଉଠାଇବେ। ଭାଜପା ଏହି ପ୍ରସଙ୍ଗରେ ବିଧାନସଭା ଚଳାଇଦେବ ନାହିଁ ବୋଲି ପୂର୍ବରୁ କହିସାରିଛି। କଂଗ୍ରେସ ମଧ୍ୟ ଏହାକୁ ଆୟୁଧ କରି ଶାସକ ଦଳକୁ ଘେରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ତେଣୁ ଏହି ପ୍ରସଙ୍ଗକୁ ବିଜେଡି କିପରି ମୁକାବିଲା କରିପାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

Share