ଆଜି ବିଜୟାଦଶମୀ: ମା’ଙ୍କ ଦର୍ଶନ ପାଇଁ ସବୁଠି ଭିଡ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍‌ ଆଜି ବିଜୟା ଦଶମୀ।  ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଦେଶର ବିଭିନ୍ନ ସ୍ଥାନରେ ହେବ ରାବଣପୋଡି। ସେଥିପାଇଁ ଦେଶର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଦ୍ୱୈତ ନଗରୀରେ ମଧ୍ୟ ରାବଣପୋଡି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଥର କମିଶନରେଟ ଅଞ୍ଚଳରେ ୫ଟି ଜାଗାରେ ହେବ ରାବଣପୋଡ଼ି କାର୍ଯ୍ୟକ୍ରମ। ରାଜଧାନୀର ବରମୁଣ୍ଡା, ଝାରପଡ଼ା, ନହରକଣ୍ଟା, ଚନ୍ଦକା ଓ ଜଟଣୀରେ ହେବ ରାବଣପୋଡ଼ି। ଆତସବାଜି କାର୍ଯ୍ୟକ୍ରମ ସ୍ଥାନଠାରୁ ୧୦୦ ମିଟର ଦୂରରେ ଦର୍ଶକ ରହିବେ ବୋଲି ପୁଲିସ ଗାଇଡଲାଇନ ଜାରି କରିଛି। କଟକରେ ମଧ୍ୟ ବ୍ୟାପକ ଆୟୋଜନ ହୋଇଛି। ବାରବାଟୀ ସର୍ବଧର୍ମ ସାଂସୃତିକ ଅନୁଷ୍ଠାନ ପକ୍ଷରୁ ବାଲିଯାତ୍ରା ତଳପ ଆୟୋଜନ ହୋଇଛି। ରାବଣପୋଡି ଉତ୍ସବା ୫୦ ଫୁଟରୁ ଅଧିକ ରାବଣ ନିର୍ମିତ ହେବା ସହ ଆତସବାଜି, ବନାଟି ଓ ସାଂସୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Share