ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ଆର୍ଥ୍ରାଇଟିସ୍‌ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଅକ୍ଟୋବର ୧୨କୁ ‘ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଏ ନେଇ ଚଳିତବର୍ଷର ସ୍ଲୋଗାନ ରହିଛି ‘ଡୋଣ୍ଟ ଡିଲେ:କନେକ୍ଟ ଟୁଡେ’। ଆର୍ଥ୍ରାଇଟିସ୍‌ ଦିବସ ଅବସରରେ ବିିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଆର୍ଥ୍ରାଇଟିସ୍‌ ସମସ୍ୟା ସମ୍ପର୍କରେ ଭୁବନେଶ୍ୱରସ୍ଥ କେୟାର ହସ୍ପିଟାଲର ବରିଷ୍ଠ ଅର୍ଥୋପେଡିକ କନ୍‌ସଲଟାଣ୍ଟ ପ୍ରଫେସର ଡା. ବସନ୍ତ କୁମାର ବେହେରା କହନ୍ତି, ”ସୁସ୍ଥ ଜୀବନ ଯାପନ ପାଇଁ ଆମକୁ ପ୍ରଥମେ ନିଜକୁ ନୀରୋଗ ରଖିବାକୁ ପଡ଼ିବ। ବୟସ ବଢ଼ିବା ସହ ଆମେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଆଜିକାଲି ଆର୍ଥ୍ରାଇଟିସ୍‌ ସମସ୍ୟା ନିଜର କାୟାବିସ୍ତାର କରିଚାଲିଛି। ଅନେକେ ଏହାର ଲକ୍ଷଣ ବିଷୟରେ ଜାଣିପାରୁନାହାନ୍ତି। ରୋଗଟି ଗୁରୁତର ହେଲେ ଡାକ୍ତରଙ୍କ ନିକଟକୁ ଆସୁଛନ୍ତି। ହେଲେ ପ୍ରାରମ୍ଭିକ ସ୍ତରରେ ଏ ନେଇ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେବା ଉଚିତ। ଯଦି ଅସ୍ଥିଜନିତ କିଛି ଯନ୍ତ୍ରଣା ଆପଣ ଅନୁଭବ କରୁଛନ୍ତି ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ନିଜକୁ ସୁସ୍ଥ ରଖିବାକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ପ୍ରଥମେ ବ୍ୟାୟାମକୁ ସାମିଲ କରନ୍ତୁ। ପ୍ରତିଦିନ ସକାଳୁ ଅତିକମ୍‌ରେ ୪-୫ କି.ମି. ଚାଲନ୍ତୁ। ଏହାବ୍ୟତୀତ ଖାଦ୍ୟପେୟ ପ୍ରତି ସଚେତନ ରହନ୍ତୁ। ଅସ୍ଥିଜନିତ ଯେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାହାକୁ ହାଲୁକା ଭାବରେ ନ ନେଇ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ।

Share