ପ୍ରତିବର୍ଷ ଜୁଲାଇ ୧୭ରେ ସାରା ବିଶ୍ୱରେ ‘ବିଶ୍ୱ ଇମୋଜି ଦିବସ’ ପାଳିତ ହୁଏ। ଆଜିକାଲି ସ୍ମାର୍ଟଫୋନର ଯୁଗ। ତେଣୁ ଇମୋଜିର ଅର୍ଥ କହିଲେ ସମସ୍ତଙ୍କୁ ଜଣାଥିବ। ବର୍ତ୍ତମାନ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରେ ତୀବ୍ର ଗତିରେ ଇମୋଜିର ପ୍ରଚଳନ ହେଉଛି। ବିଶେଷକରି ଚାଟିଙ୍ଗ୍ ସମୟରେ ଏହାର ବ୍ୟବହାର ଅଧିକ ହୋଇଥାଏ। ଲମ୍ବା ଶବ୍ଦ ବଦଳରେ ସାମାନ୍ୟ ଗୋଟିଏ ଇମୋଜି ମାନସିକ ଅବସ୍ଥା କଥା ସୂଚାଇ ଦିଏ ଅର୍ଥାତ୍ ଇମୋଜି ମନର ଭାବନାକୁ ବିନା ଭାଷାରେ ବୁଝାଇଥାଏ। ସୋସିଆଲ ମିଡିଆରେ ଏହାର ଲୋକପ୍ରିୟତାକୁ ନଜରରେ ରଖି ଏବେ ପ୍ରତିଟି ନେଟ୍ୱର୍କିଂ ସାଇଟ୍ରେ ଇମୋଜି ମହଜୁଦ୍ ରହିଛି। ମଣିଷର ପ୍ରତିଟି ଭାବନାକୁ ସନ୍ଦେଶ ମାଧ୍ୟମରେ ପ୍ରକାଶ କରିବାକୁ ଭଳିକି ଭଳି ଇମୋଜି ଅଛି। ୧୯୯୦ମସିହା ଶେଷ ବେଳକୁ ଇମୋଜିର ପ୍ରଚଳନ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ଆପଲ୍ ଆଇଫୋନ୍ କିବୋର୍ଡରେ ଏହାକୁ ସାମିଲ କରିଥିଲା। ଏହାର ପ୍ରଚଳନ ଅଧିକ ହେବାରୁ ୨୦୧୪ ଜୁଲାଇ ୧୭ ତାରିଖକୁ ବିଶ୍ୱ ଇମୋଜି ଦିବସ ଭାବେ ପାଳନ କରାଗଲା। ଏହି ଦିବସର ଆରମ୍ଭ ଜେରେମୀ ବର୍ଗ କରିଥିଲେ। ଏକ ରିପୋର୍ଟ ଅନୁସାରେ, ଟୁଇଟରରେ ଭାରତୀୟମାନେ ସବୁଠାରୁ ଅଧିକ ଆଖିରୁ ଲୁହ ଝରାଇ ହସୁଥିବା ଏବଂ ସ୍ମାଇଲ କରୁଥିବା ଇମୋଜି ଅଧିକ ବ୍ୟବହାର କରିଥାନ୍ତି। ଏହା ପରେ ହାତ ଯୋଡିଥିବା ଇମୋଜିର ମଧ୍ୟ ଆଦର ରହିଛି। ୟୁନିକୋଡ ଷ୍ଟାଣ୍ଡାର୍ଡ ଲିଷ୍ଟ ମୁତାବକ, ଏବେ ପର୍ଯ୍ୟନ୍ତ ୩,୦୫୩ଟି ଇମୋଜି ତିଆରି କରାଯାଇଛି।