କେନ୍ଦୁଝର, ୫ା୬ (ସ୍ବ.ପ୍ର.)-ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସକୁ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ ଚାଲିିଛି କିନ୍ତୁ କାହାରି ଆନ୍ତରିକତା ଥିବା ମନେ ହେଉନାହିଁ ା କେନ୍ଦୁଝର ଜିଲାର ଜଳବାୟୁ ଓ ଜଳାଭାବକୁ ଦେଖିଲେ ପରିବେଶ କେତେ ନଷ୍ଟ ହୋଇଛି ବେଶ ଅନୁମାନ କରିହେବ।
ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ, ଜଙ୍ଗଲ ସଂରକ୍ଷଣ ଆଦି ବାର୍ତ୍ତା ସମସ୍ତେ ଦେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ପାଳନ ହେଉନଥିବାରୁ ଏହା ପ୍ରହସନରେ ପରିଣତ ହେଉଛି ା ବୃକ୍ଷରୋପଣ ତ ଦୂର କଥା ବୃକ୍ଷ ନଷ୍ଟକୁ ମଧ୍ୟ ରୋକିବାରେ ବିଫଳ ହେଉଛନ୍ତି। ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ ହେଉଛି କିନ୍ତୁ ବାସ୍ତବ ଚିତ୍ର କଣ ସମସ୍ତେ ଜାଣନ୍ତି। ବଣଜଙ୍ଗଲ ନଷ୍ଟ ଯୋଗୁ ହାତୀ, ଭାଲୁ, ହରିଣ ଆଦି ବନ୍ୟଜନ୍ତୁ ଓ ସରୀସୃପ ଗ୍ରାମମୁଖୀ ହେଉଛନ୍ତି।
ଏକଦା ଜିଲ୍ଲା ଥଣ୍ଡା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଥିବା କେନ୍ଦୁଝର ଜିଲା ଏବେ ଉତ୍ତପ୍ତ ହୋଇଯାଉଥିବାରୁ ଏହାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ବ୍ୟାପକ ଖଣି ଖନନ, ଜଙ୍ଗଲ ଲୁଟ, ରାସ୍ତାଘାଟ ସମ୍ପ୍ରସାରଣ ପାଇଁ ବ୍ୟାପକ ଜଙ୍ଗଲ କଟା, ବୃଦ୍ଧିପାଉଥିବା ଜଙ୍ଗଲ ଜମି ଜବରଦଖଲ ଆଦି କାରଣରୁ ଜିଲାର ଜଙ୍ଗଲ ଓ ପରିବେଶ ସଙ୍କଟରେ ରହିଛି ା ଏହାର କୁ ପ୍ରଭାବ ମଣିଷ, ପଶୁପକ୍ଷୀ, ଜୀବଜଗତ ଉପରେ ପଡୁଛି ା ସନ୍ତୁଳିତ ପରିବେଶ ବିଗିଡି ଯାଉଥିବା ବେଳେ ଏହାର ପ୍ରଭାବରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଛି ା ବର୍ଷାରେ ଅନିୟମିତତା, ଆବଶ୍ୟକତା ଠାରୁ କମ ବେଶୀ ବର୍ଷା ଯୋଗୁଁ ଚାଷ ତଥା ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛି ା ଜିଲାରେ ଆଗଭଳି ଘଞ୍ଚ ଜଙ୍ଗଲ ନାହିଁ ା ବହୁ ଝରଣା, ନଦୀନାଳ ଲୁପ୍ତ ହୋଇଯାଉଥିବା ବେଳେ ଅନ୍ୟ ସବୁ ସଙ୍କଟରେ ରହିଛି ା ଫଳରେ ଜଳାଭାବ ଦେଖାଦେଉଛି। ପ୍ରାକୃତିକ ଜଙ୍ଗଲକୁ କୃତ୍ରିମ ଜଙ୍ଗଲ ଦ୍ୱାରା ଭରଣା କରାଯାଇପାରୁନାହିଁ ା ଫଳରେ ଜଙ୍ଗଲର ଘନତ୍ୱ ହ୍ରାସ ପାଉଛି। ସେହିପରି ଜଙ୍ଗଲର ସୁରକ୍ଷା କରାଗଲେ ପ୍ରାକୃତିକ ଜଙ୍ଗଲ ଆପେ ଆପେ ସୃଷ୍ଟି କରାଯାଇପାରିବ। କିନ୍ତୁ ତାହା କରା ନ ଯାଇ ଜଙ୍ଗଲ ମଧ୍ୟରେ ଅଯଥା ଅଦରକାରୀ ଗଛର ବନୀକରଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରୁଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ଜିଲାରେ ସମୁଦାୟ ୨୭୭ଟି ଶିଳ୍ପ ଓ ଖଣି ସଂସ୍ଥା ରହିଛି। ଜିଲାରେ ସମୁଦାୟ ୧୨୦ଟି ଖଣି ଲିଜ ଦିଆଯାଇଛି। ଏହାଛଡା ବେଆଇନ ଖଣି ଖନନକୁ ହିସାବ କଲେ ଏହାର ପରିମାଣ ୫୦ ହଜାର ହେକ୍ଟର ଟପିଯିବ। ସେହିପରି କଟକଣା ଅଭାବରୁ କାରଖାନାର ବର୍ଜ୍ୟବସ୍ତୁ ଯୋଗୁ ଚାଷଜମି, ରାସ୍ତାଘାଟ, ଜଳାଶୟ ଆଦି ପ୍ରଦୂଷିତ ହେଉଛି। ସର୍ବୋପରି ମଣିଷର ବଞ୍ଚିବା ପାଇଁ ଆବଶ୍ୟକ ବିଶୁଦ୍ଧ ପାନୀୟ ଜଳ, ବାୟୁ, ପରିବେଶ ମିଳୁ ନଥିବାରୁ ଏଠାରେ ବଞ୍ଚିବାର ଅଧିକାର କ୍ଷୂର୍ଣ୍ଣ ହେଉଛି।