Categories: ଖେଳ

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ପ୍ରଥମେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଖେଳିବ। ଗମ୍ଭୀର ହେଉଛନ୍ତି ଦୁଇଥର ବିଶ୍ୱକପ୍‌ ବିଜେତା। ବର୍ତ୍ତମାନ ସେ ଭାରତର ନୂଆ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସୂର୍ଯ୍ୟକୁମାର ବର୍ତ୍ତମାନ ଟି୨୦ ଫର୍ମାଟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାରେ ପରିଗଣିତ ହେଉଛନ୍ତି। ଗମ୍ଭୀର ଦୁଇଥର ଅଧିନାୟକ ଏବଂ ଥରେ ମେଣ୍ଟର ଭାବେ କୋଲକାତା ନାଇଟ ରାଇଡର୍ସ ସହ ୩ଥର ଆଇପିଏଲ୍‌ ଟାଇଟଲ ଜିତିପାରିଛନ୍ତି।

ଲୋକପ୍ରିୟ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ସେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏଡାଇ ଅଧିନାୟକ ଭାବେ ଅଭିଜ୍ଞତା ନ ଥିବା ସୂର୍ଯ୍ୟକୁମାରଙ୍କୁ ଯେତେବେଳେ ଅଧିନାୟକ ଭାବେ ମନୋନୀତ କରାଗଲା ସେତେବେଳେ ଏହାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଭାରତ ଓ ଶ୍ରୀଲଙ୍କା ୨୦୨୬ରେ ପରବର୍ତ୍ତୀ ଟି୨୦ ବିଶ୍ୱକପ୍‌ର ଆୟୋଜକ ଅଛନ୍ତି।

ଗତ ମାସରେ ଭାରତର ବିଶ୍ୱକପ୍‌ ସଫଳତା ପରେ ଅନ୍ତର୍ଜାତୀୟ ଟି୨୦ରୁ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଇସ୍ତଫା ପରେ ଦଳର ପୁନର୍ଗଠନ ଲାଗି ଚୟନକର୍ତ୍ତାମାନଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ଯୁବ ବ୍ୟାଟର ଶୁବମନ ଗିଲ୍‌ଙ୍କୁ ହ୍ବାଇଟ୍‌ ବଲ ଫର୍ମାଟରେ ଉପ ଅଧିନାୟକ ଦାୟିତ୍ୱ ତୁଲାଇବାର ସୁଯୋଗ ମିଳିଛି।

ଭାରତର ଅଲରାଉଣ୍ଡର ଡିପାର୍ଟମେଣ୍ଟରେ ମଧ୍ୟ ପାଣ୍ଡ୍ୟା, ଶିବମ ଦୁବେ ଏବଂ ଫର୍ମରେ ଥିବା ଓ୍ବାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ରହିଛନ୍ତି। ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦଳରେ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ଯୋଡ଼ିଙ୍କୁ ନିଆଯାଇଛି। ପାଲିକେଲ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ପେସ୍‌ ଓ ବାଉନ୍ସ ପିଚ୍‌ ଉଭୟଙ୍କୁ ବେଶ୍‌ ସୁହାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ୨୦୧୪ ଟି୨୦ ବିଶ୍ୱକପ୍‌ ବିଜେତା ଶ୍ରୀଲଙ୍କା ଦଳ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛି।

ଗତ ସଂସ୍କରଣରେ ଦଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଫଳତଃ ଅଧିନାୟକ ଓ୍ବାନିନ୍ଦୁ ହସରଙ୍ଗା, କୋଚ୍‌ କ୍ରିସ ସିଲ୍‌ଭରଉଡ୍‌ ଏବଂ ପରାମର୍ଶଦାତା ମାହେଲା ଜୟବର୍ଦ୍ଧନେ ପ୍ରମୁଖଙ୍କୁ ସେମାନଙ୍କ ପଦବୀରୁ ଇସ୍ତଫା ଦେବାକୁ ହୋଇଛି। ଶ୍ରୀଲଙ୍କା ବର୍ତ୍ତମାନ ପାଇଁ ପୂର୍ବତନ ଅଧିନାୟକ ତଥା ବିସ୍ଫୋରକ ବ୍ୟାଟର ସନଥ ଜୟସୁରିୟାଙ୍କୁ କାମଚଳା କୋଚ ଭାବେ ନିଯୁକ୍ତି ଦେଇଛି।

Share