ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୧୦ା୧: ଶୁକ୍ରବାର ପବିତ୍ର ପୌଷ ପୂର୍ଣ୍ଣମୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ହେବ। ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ପୌରାଣିକ ତଥ୍ୟ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରତିବର୍ଷ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୌଷ ପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ୧୦୮ ଗରା ଘିଅ ମିଶ୍ରିତ ଜଳରେ କେବଳ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ। ଏହାପରେ ଠାକୁରମାନଙ୍କ ସୁନାବେଶ ହୋଇଥାଏ। ବର୍ଷକ ମଧ୍ୟରେ ହେଉଥିବା ୫ଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ।
ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ରାତି ୨ଟାରେ ଦ୍ୱାରଫିଟା, ୩ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ଚାଲିବ। ଭୋର ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ସକାଳ ଧୂପ (କେବଳ କୋଠ ଭୋଗ), ପୂର୍ବାହ୍ନ ୧୧ଟା ୧୫ରେ ମହାଲକ୍ଷ୍ମୀ ବିଜେ, ଅପରାହ୍ନ ୪ଟା ୩୫ରେ ରଘୁନାଥଦେବ ଲକ୍ଷ୍ମୀମନ୍ଦିରକୁ ବିଜେ, ୫ଟାରେ ଭୋଗମଣ୍ଡପ ପୂଜା ଶେଷ, ରାତି ୭ଟା ୩୦ରେ ସନ୍ଧ୍ୟା ଆଳତି, ୧୦ଟାରେ ଅଭିଷେକ ନୀତି ଶେଷ, ୧୧ଟାରେ ବଡ଼ସିଂହାର ବେଶ, ସାଢେ ୧୧ଟାରେ ବଡ଼ସିଂହାର ଭୋଗ, ୧୧ଟା ୪୫ରେ ଟୋପର ଲାଗି ସରି ରାତି ୧୨ଟାରେ ରାତ୍ର ପହୁଡ଼ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।

Share