ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନରେ ବିମାନଯୋଗେ ନୂଆଦିଲ୍ଲୀ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ୫ ଦିନିଆ ବୋଲି ଜଣାପଡିଛି। ବୁଧବାର ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚି ନିଜସ୍ବ ବାସଭବନକୁ ଯିବେ। ସେହିଦିନ ତାଙ୍କର କୌଣସି ସରକାରୀ କାର୍ଯ୍ୟକ୍ରମ ନାହିଁଁ ବୋଲି ଜଣାପଡିଛି। ଗୁରୁବାର ରାଷ୍ଟ୍ରପତି ଭବନରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ନବୀନ ଯୋଗ ଦେବେ। ସେହିଭଳି ଶୁକ୍ରବାର ଏବଂ ଶନିବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ବକେୟା ଥିବା ବିଭିନ୍ନ ସହାୟତା ରାଶି ସମ୍ପର୍କିତ ସମୀକ୍ଷା ବୈଠକ କରିବେ। ଆବଶ୍ୟକ ହେଲେ ସେ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିପାରନ୍ତି ବୋଲି ଜଣାପଡିଛି। ଏହାର ଦିନକ ପରେ ଅର୍ଥାତ୍‌ ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ।

Share