ଆଜି ରଥକୁ ଉଠିବ ଚଉଦ ନାହାକା କାଠ

ପୁରୀ ଅଫିସ,୨୬ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ପ୍ରଥମ ଭୂଇଁ ଖଞ୍ଜାଯାଇ ଛ’କାଠ ଉଠିବା ପରେ ଦ୍ୱିତୀୟ ଭୂଇଁଖଞ୍ଜା ଆରମ୍ଭ ହୋଇଥିଲା। ମଙ୍ଗଳବାର ଦ୍ୱିତୀୟ ଭୂଇଁ କାମ ସରି ତୃତୀୟ ଭୂଇଁଖଞ୍ଜା ଚାଲିଥିବା ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି। ତିନିରଥର ଚଉଦ ନାହାକା କାଠ ପ୍ରସ୍ତୁତି ସରିଛି। ବୁଧବାର ଏହା ରଥକୁ ଉଠିବ। ତାଳଧ୍ୱଜ ରଥର ରୂପକାର ପଞ୍ଚାନନ ମହାପାତ୍ର କହିଛନ୍ତି, ପଟାଗୁଜ ଖୋଦେଇ ଚାଲିଛି। ନାଟଗୋଡ଼ ଏବଂ ସିଂହାସନରେ ମଧ୍ୟ ଖୋଦେଇ କରାଯାଉଛି। ନନ୍ଦିଘୋଷ ରଥର ଚିତ୍ରକର ଦେବଦତ୍ତ ମହାରଣା କହିଛନ୍ତି, ରଥରେ ରଙ୍ଗ ଦିଆଯାଉଛି। ଚିତ୍ରକରମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଥର ପାର୍ଶ୍ୱଦେବଦେବୀ, ନର୍ତ୍ତକୀ, କନ୍ୟାପଟା, ହଂସପଟାରେ ରଙ୍ଗ ଦେଉଛନ୍ତି। ରଥଚକରେ ଧଳାରଙ୍ଗ ଦିଆଯାଇଛି। ପରେ ଅନ୍ୟ ରଙ୍ଗ ଦେଇ ଚିତ୍ରିତ କରାଯିବ। ଅନ୍ୟପକ୍ଷରେ ଦୋଳବେଦୀରେ କମାରସେବକମାନେ ଭୂଇଁକଣ୍ଟା ତିଆରି କରୁଛନ୍ତି। ପ୍ରଥମ ଭୂଇଁକଣ୍ଟା ତିଆରି ସରିବା ପରେ ଏବେ ଦ୍ୱିତୀୟ ଓ ତୃତୀୟ ଭୂଇଁକଣ୍ଟା ତିଆରି ଚାଲିଥିବା ତାଳଧ୍ୱଜ ରଥର କମାରସେବକ ଜଗନ୍ନାଥ ମହାରଣା କହିଛନ୍ତି।

Share