ଆଜି ଲଘୁଚାପ ସମ୍ଭାବନା: ୯ରୁ ପ୍ରବଳ ବର୍ଷା ,୨ରୁ ୪ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୮।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରି ଧୀରେ ଧୀରେ ଆଗକୁ ଅଗ୍ରସର ହେଉଛି। ଏହି ପ୍ରକ୍ରିୟା ଜାରି ରହିଲେ ଆଉମାତ୍ର ୨ରୁ ୪ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚତ୍ବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ହେଲେ ଏହା ପୂର୍ବରୁ ଅର୍ଥାତ୍‌ ସୋମବାର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଆସନ୍ତା ୯ ତାରିଖରୁ ପ୍ରବଳ ବର୍ଷା ହେବ। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହିଦିନ ପାଇଁ ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୦ ତାରିଖ ଦିନ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ଜଗତ୍‌ସିଂହପୁର ଆଦି ୮ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୧ ତାରିଖ ଦିନ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କେତେକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ପୁରୀ ଓ ବୌଦ୍ଧ ଆଦି ୧୦ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୮ ତାରିଖ ସୋମବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ ବଜ୍ରପାତର ମଧ୍ୟ ଆଶଙ୍କା ରହିଛି। ଉତ୍ତର, ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଆଦି ୧୦ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Share