ନୂଆଦିଲ୍ଲୀ, ୨୧।୬: ‘ଟ୍ରିପଲ ତଲାକ’ ଶୁକ୍ରବାର ଲୋକ ସଭାରେ ଆଗତ ହେବ। ଫଳରେ ୧୭ତମ ଲୋକ ସଭା ଗଠନ ହେବା ପରେ ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଏହା ପ୍ରଥମ ବିଲ୍ ହେବ। କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସଂସଦରେ ଉପସ୍ଥାପନ କରିବେ। ଗତ ଏନଡିଏ ସରକାର ସମୟରେ ମଧ୍ୟ ଏହି ବିଲ୍ ଆସିଥିଲା। କିନ୍ତୁ ରାଜ୍ୟସଭାରେ ପାରିତ ହୋଇପାରି ନ ଥିଲା। ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ ୨୦୧୯ ନାମରେ ନାମିତ ଏହି ବିଲ ପାରିତ ହେଲେ ତିନି ଥର ତଲାକ କହି ଛାଡପତ୍ର ଦେଉଥିବା ମୁସଲିମ ପୁରୁଷଙ୍କୁ ୩ ବର୍ଷର ଜେଲ ହୋଇପାରିବ। ଏହି ବିଲକୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିରୋଧ କରୁଥିଲେ। ସେମାନଙ୍କ କହିବା ଅନୁଯାୟୀ ଏହା ଘରୋଇ ମାମଲା ଏଥିରେ ଜେଲଦଣ୍ଡ କିପରି ରହିପାରିବ। ସରକାର ଯୁକ୍ତି ବାଢିଥିଲେ, ଏହା ବହୁଦିନ ଧରି କଷ୍ଟ ସହିଆସୁଥିବା ମୁସଲିମ୍ ମହିଳାଙ୍କୁ ଆଶ୍ୱସ୍ତି ଦେବ। ଏହା ସେମାନଙ୍କୁ ସମାନ ଅଧିକାର ପ୍ରଦାନ କରିବ।