Categories: ଅନୁଗୋଳ

ଆଜି ଶୈଳଶ୍ରୀକ୍ଷେତ୍ରକୁ ବାହୁଡ଼ିବେ ଶ୍ରୀଜୀଉ: ସନ୍ଧ୍ୟା ସାଢ଼େ ୬ଟାରେ ଛୁଇଁବ ଚକଡ଼ା

ଅନୁଗୋଳ ଅଫିସ, ୧୨।୭-୯ ଦିନ ଜନ୍ମବେଦିରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଭଉଣୀ ଭାଇଙ୍କୁ ଧରି ଶୈଳଶ୍ରୀକ୍ଷେତ୍ର ଫେରିବେ ମହାପ୍ରଭୁ ଜଗନ୍ନାଥ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସକାଳୁ ସମସ୍ତ ନୀତିକାନ୍ତି କରାଯିବା ପରେ ଅପରାହ୍ନ ୩ଟାରେ ବାହୁଡ଼ା ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥିର କରାଯାଇଛି। ଫେରିବା ବାଟରେ ଥାନା ଓ କୋର୍ଟ ସମ୍ମୁଖରେ ମହାପ୍ରଭୁଙ୍କ ନିକଟରେ ଶୁଖିଲା ଭୋଗ ଲାଗି କରାଯିବା ନେଇ ନିଷ୍ପତ୍ତି ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ପାଇଁ ଶୈଳଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। କିପରି ଶୃଙ୍ଖଳାର ସହ କାର୍ଯ୍ୟ ସମାପନ କରାଯିବ ସେ ନେଇ ପରିଚାଳନା କମିଟି ବେଶ ତପତ୍ର ହୋଇପଡ଼ିଛି। ସକାଳେ ଭୋର ସାଢ଼େ ୩ଟାରୁ ଦ୍ୱାର ଫିଟା ସହ ମଙ୍ଗଳ ଆଳତି କରାଯିବ। ୪ଟାରେ ସେନାପଟା ଲାଗି, ଅବକାସ ନୀତି ଓ ରୋଶ ହୋମ ହେବ। ୫ଟା ୩୦ରେ ବେଶ ଲାଗି ସହ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗରୁଡ଼ ପୂଜା, ବାଳ ଧୂପ ଓ ଖେଚୁଡ଼ି ଧୂପ କରାଯିବ। ସାଢ଼େ ୭ଟାରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି କରାଯିବ। ପୂର୍ବାହ୍ନ ୮ଟାରେ ମଙ୍ଗଳାର୍ପଣ ନୀତି ଓ ୯ଟାରେ ପହଣ୍ଡି ବିଜେ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯିବ। ପୂର୍ବାହ୍ନ ୧୧ଟାରେ ମଦନମୋହନ ରଥ ବିଜେ କରିବା ପରେ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପସଭାପତି ତଥା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ନିମନ୍ତ୍ରଣ ଦିଆଯିବ। ମଧ୍ୟାହ୍ନ ୧୨ଟାରେ ତିନି ରଥରେ ଛେରାପହଁରା ହେବ। ଅପରାହ୍ନ ୧ଟାରେ ଘୋଡ଼ା, ସାରଥୀ ସଂଯୋଜନ କରାଯିବା ସହ ଚାରମାଳ ଓ ରଥ ଦୌଡ଼ି ଲାଗି କରାଯିବ। ଅପରାହ୍ନ ୩ଟାରେ ରଥ ଟଣା ହେବ। ସନ୍ଧ୍ୟା ସାଢ଼େ ୬ଟାରେ ଶୈଳଶ୍ରୀକ୍ଷେତ୍ରରେ ୩ ରଥ ପହଞ୍ଚାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ଦିର ପରିଚାଳନା କମିଟି ସମ୍ପାଦକ ହେମନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଶୈଳଶ୍ରୀକ୍ଷେତ୍ରରେ ରଥ ରହିବା ପରେ ଶ୍ରୀଜୀଉମାନଙ୍କୁ ଭକ୍ତମାନେ ରଥ ଉପରେ ଦର୍ଶନ କରିବେ। ତେବେ ରଥ ଉପରକୁ ଶ୍ରଦ୍ଧାଳୁମାନଙ୍କୁ ଚଢ଼ିବାରେ ବାରଣ କରାଯାଇଛି।