ଆଜି ଶ୍ରୀମନ୍ଦିରରେ ପଇତାଲାଗି: ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ତାଙ୍କ ସୂଚନା ମୁତାବକ, ଏହା ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବି। ଏହି ନୀତି ସମ୍ପନ୍ନ ପରେ ପୁଣି ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।