ଆଜି ସରିବ ଅନୁଗୋଳ ଲକ୍ଷ୍ମୀପୂଜା:ମଣ୍ଡପରୁ ମେଳା, ସବୁଠି ଗହଳି

ଅନୁଗୋଳ ଅଫିସ, ୨୨ା୧୦

ଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଦିନକୁ ଦିନ ଅଧିକ ଶ୍ରଦ୍ଧାଳୁଙ୍କ ଗହଳି ହେଉଛି। ପୂଜା ମଣ୍ଡପଠାରୁ ଆରମ୍ଭ କରି ମିନାବଜାର ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖାଯାଉଛି। ତେବେ ପୂଜା ଶେଷ ହୋଇ ଆସୁଥିବାରୁ ଚଳିତବର୍ଷ ଏହାକୁ ହାତଛଡ଼ା କରିବାକୁ ଚାହୁନାହାନ୍ତି ଲୋକେ। ତେଣୁ ସହର ଉପକଣ୍ଠ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ପୂଜା ବୁଲିବାକୁ ଆସୁଛନ୍ତି। ଗତ ୨ ଦିନ ହେଲା ସହରରେ ଭିଡ଼ ବଢ଼ୁଥିବା ବେଳେ ସୋମବାର ଛାତିଫଟା ଗହଳିରେ ଅନେକ ଅଣନିଃଶ୍ୱାସୀ ହୋଇପଡ଼ୁଥିବା ଦେଖିବାକୁ ମିଳିଥିଲା।
ଅପରାହ୍ନରୁ ପୂଜାମଣ୍ଡପଗୁଡ଼ିକରେ ଭିଡ଼ ବଢ଼ିବା ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଏହା ଜନ ସମୁଦ୍ରରେ ପରିଣତ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅନେକ ରାସ୍ତା ଜାମ୍‌ ହୋଇଯାଇଥିଲା। ବିଭିନ୍ନ ପୂଜା ମଣ୍ଡପରେ ଏଥର ପୌରାଣିକ କଥାବସ୍ତୁକୁ ନେଇ ସାଜସଜ୍ଜା କରାଯାଇଥିବାରୁ ତାହାକୁ ଦେଖିବାକୁ ଲୋକେ ଅଧିକ ସଂଖ୍ୟାରେ ଭିଡ଼ ଜମାଉଥିଲେ। ବିଶେଷକରି ସେଲ୍‌ଫି ଉଠାଇବାକୁ ଯୁବପିଢ଼ିଙ୍କ ମଧ୍ୟରେ ଠେଲାପେଲା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ପାର୍ବଣରେ ପଡ଼ିଥିବା ମିନା ବଜାର ନିକଟରେ ମଧ୍ୟ ଅସମ୍ଭାଳ ଭିଡ଼ ଗହଳି ଲାଗିଥିଲା। ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ମୂର୍ତ୍ତି ଓ ମେଢ଼ କରାଯାଇଛି। ସ୍ବପ୍ନ ନଗରୀରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବସ୍‌ଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ନାଟ୍ୟମଣ୍ଡପରେ ମା’ଲକ୍ଷ୍ମୀ ଶୋଭା ପାଉଛନ୍ତି। ଶାନ୍ତି ବଜାରରେ ପାହାଡ଼ ଓ ରାଜ ଉଆସରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଅମଲାପଡ଼ାରେ ନର୍କପୁରୀର ବିଭିନ୍ନ ଦୃଶ୍ୟକୁ ନେଇ ମେଢ଼ ତିଆରି କରାଯାଇଛି। ସହରର ଡିଆଇସି ଛକରେ ସୂର୍ଯ୍ୟଙ୍କ ଉପରେ ତୋରଣ ନିର୍ମାଣ କରାଯାଇଛି। ସେହିପରି ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଅନ୍ନପ୍ରସାଦ ବଣ୍ଟନ ବ୍ୟବସ୍ଥା ଥିବାରୁ ସେଠାରେ ଲୋକଙ୍କ ଭିଡ଼ ଅଧିକ ଜମୁଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହି ନେଉଛି। ଢେଙ୍କାନାଳ ଏମ୍‌ପି ମହେଶ ସାହୁ ସୋମବାର ଅନୁଗୋଳ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଅନୁଗୋଳର ମିଶ୍ରପଡ଼ାରୁ ମା’ ଧନଦାତ୍ରୀଙ୍କ ଦର୍ଶନ କରିବା ପରେ ହୁଲୁରିସିଂହା ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ। ପରେ ଗାନ୍ଧୀମାର୍ଗ ପୂଜା କମିଟି ଓ ହୁଲୁରୁସିଂହା ଡିଆଇସି ଛକରେ ହୋଇଥିବା ପୂଜା ମଣ୍ଡପ ବୁଲି ଫେରି ଯାଇଥିଲେ।

Share