ଆଜି ସରିବ ଅଲାରନାଥଙ୍କ ଅଣସର ଦର୍ଶନ: ବର୍ଷାରେ ଭିଜି ଦର୍ଶନ କଲେ ଭକ୍ତ

ବ୍ରହ୍ମଗିରି, ୨।୭(ଡି.ଏନ୍‌.ଏ.): ସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାସ୍ନାନପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥିଲେ ଶ୍ରୀଜୀଉମାନେ। ରବିବାର ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦଇତାପତିଙ୍କ ଦ୍ୱାରା ଗଜପତି ମହାରାଜାଙ୍କୁ ଦିଆଯାଇଛି। ସୋମବାର ମହାପ୍ରଭୁ ଚତୁର୍ଦ୍ଧାମୁର୍ତ୍ତୀଙ୍କର ଘଣାଲାଗି ନୀତି ପାଳିତ ହୋଇଛି। ଏପଟେ ଶ୍ରୀଅଲାରନାଥ ପୀଠରେ ଶ୍ରୀ ଜୀଉଙ୍କର ଅଣସର ଦର୍ଶନ ଚାଲିଛି। ମଙ୍ଗଳବାର ମହାପ୍ରଭୁଙ୍କ ନିକଟରେ ୧୪ଦିନ ବ୍ୟାପୀ ଚାଲିଥିବା ଅଣସର ଦର୍ଶନ ଶେଷହେବ। ସୋମବାର ଅଲାରନାଥ ପୀଠରେ ଅଣବସର ଦର୍ଶନ ତ୍ରୟୋଦଶ ଦିନରେ ପହଞ୍ଚତ୍ଛି। ଅଣସର ଦର୍ଶନ ଯେତିକି ସରିସରି ଆସୁଛି ଭକ୍ତଙ୍କ ଭିଡ଼ ସେତିକି ବଢ଼ୁଛି। ଏବେ ଅଲାରନାଥ ପୀଠରେ ଆଶାତୀତ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଦିନ ସାରା ଝିପି ଝିପି ବର୍ଷାରେ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଭୋର ୪ଟାରେ ମନ୍ଦିର ଦ୍ୱାର ଖୋଲାଯାଇ ୪ଟା ୧୫ରେ ମଙ୍ଗଳ ଆଳତୀ, ୪ଟା ୩୦ରେ ଅବକାଶ, ୫ଟାରେ ମହାପ୍ରଭୂଙ୍କ ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ୫ଟା ୩୦ରେ ବଲ୍ଲଭ ଧୂପ ଓ ପରେ ସର୍ବସାଧାରଣ ଦର୍ଶନ ହୋଇଥିଲା। ସକାଳ ଧୂପ, ଦ୍ୱିପ୍ରହର ଧୂପରେ କେବଳ ଖିରି ପ୍ରସାଦ ଭୋଗ ହୋଇ ଦିନ ୨ଟା ୩୦ରେ ପହୁଡ ପଡିଥିଲା। ୨ଟା ୪୫ରେ ଚିଅଁା ପହୁଡ ନୀତି ହୋଇ ସର୍ବସାଧାରଣ ଦର୍ଶନ ହୋଇଥିଲା। ଅଣସର ଶେଷ ହେବା ପର୍ଯ୍ୟାୟରେ ପହଞ୍ଚତ୍ବାରୁ ପାଖାପାଖି ଗାଁର ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଆନନ୍ଦ ବଜାରରେ ପ୍ରବଳ ଗହଳି ଦେଖିବାକୁ ମଳିଥିଲା। ସନ୍ଧ୍ୟା ୭ଟା ୧୦ରେ ସନ୍ଧ୍ୟା ଆଳତୀ, ରାତି ୮ଟାରେ ମଇଲମ, ୮ଟା ୩୦ରେ ସର୍ବସାଧାରଣ ଦର୍ଶନ, ରାତି ୧୦ଟା ୨୦ରେ ସନ୍ଧ୍ୟା ଧୂପ ଓ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୦ଟା ୫୦ରେ ବଡସିଂହାର ବେଶ ହେବା ପରେ ୧୨ଟାରେ ପହୁଡ ହୋଇଥିଲା।

Share