ଆଜି ସରୁଛି ଡେଡ୍‌ଲାଇନ୍‌: ମାର୍ଚ୍ଚ ପହିଲାରୁ ଜୋରଦାର ହେବ ଧରପଗଡ଼; ପାଖରେ ରଖନ୍ତୁ ଆବଶ୍ୟକ କାଗଜପତ୍ର

ଭୁବନେଶ୍ୱର,୨୯।୨(ବ୍ୟୁରୋ): ୨୦୧୯ ସେପ୍ଟେମ୍ବର ୧ରେ ସାରା ଭାରତରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ହୋଇଥିଲା। ହେଲେ ଲୋକମାନଙ୍କ ଅସନ୍ତୋଷ ଏବଂ ଗାଡ଼ି କାଗଜପତ୍ର ପାଇଁ ଆର୍‌ଟିଓରେ ଭିଡ଼କୁ ଦେଖି ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୬ ମାସ ସମୟ ଦେଇଥିଲେ। ମାର୍ଚ୍ଚ ୧ରେ ଏହି ଡେଡ୍‌ଲାଇନ୍‌ ସରୁଛି। ଏଥର ଯାଞ୍ଚ କଡ଼ାକଡ଼ି କରାଯିବ। ଏଣୁ ଗାଡ଼ିଚାଳକମାନେ ଆବଶ୍ୟକ କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଠିକ ରଖନ୍ତୁ। ଦୁଇଚକିଆ ଯାନରେ ବସୁଥିବା ବ୍ୟକ୍ତିମାନେ ହେଲ୍‌ମେଟ ପିନ୍ଧିବା ସହ ତିନିଜଣିଆ ଯାଆନ୍ତୁ ନାହିଁ। ଗାଡ଼ି ଚଳାଇବା ବେଳେ ଫୋନରେ କଥାବାର୍ତ୍ତା ନ ହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିଭଳି ୪ ଚକିଆ ଗାଡ଼ି ଚାଳକମାନେ ସିଟ୍‌ ବେଲ୍ଟ ବ୍ୟବହାର କରନ୍ତୁ। କାରଣ ମାର୍ଚ୍ଚ ପହିଲାରୁ ଯେଉଁ ଗାଡ଼ିଚାଳକମାନେ ଏସବୁର ଉଲ୍ଲଂଘନ କରିବେ, ସେମାନଙ୍କୁ ଟ୍ରାଫିକ୍‌ ଆଇନ ଅନୁସାରେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି। ଅପରପକ୍ଷେ ଧାର୍ଯ୍ୟ ଅବଧି ସରୁଥିବାରୁ ପୁଣିଥରେ ଆର୍‌ଟିଓ ଅଫିସ୍‌ରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି।

ନିକଟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ବିଷୟରେ ପ୍ରତିକ୍ରିୟା ରଖି କହିଥିଲେ, ପୂର୍ବରୁ ଦିଆଯାଇଥିବା ୬ ମାସର କୋହଳ ଅବଧି ପୂରିଯାଇଛି। ଏଥର ଯାଞ୍ଚ କଡ଼ାକଡ଼ି କରାଯିବ। ୭୦% ପୋଲିସ କର୍ମଚାରୀ ଗାଡ଼ି ମୋଟର ଯାଞ୍ଚ କରିବେ। ନୂଆ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଅଧିକାଂଶ ଲୋକ କାଗଜପତ୍ର ଠିକ୍‌ କରିସାରିଲେଣି, ଆଉ ଭିଡ଼ ନାହିଁ ବୋଲି ସେ କହିଥିଲେ।

Share