ଆଜି ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶୋକସଭା

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଶାସ୍ତ୍ରୀୟ ସଙ୍ଗୀତ ଜଗତର ମହାନ୍‌ କିମ୍ବଦନ୍ତୀ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ବୁଧବାର ସାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏକ ରାଜ୍ୟସ୍ତରୀୟ ଶୋକସଭା ଅନୁଷ୍ଠିତ ହେବ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ସଙ୍ଗୀତ ନାଟକ ଏକାଡେମୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଦିବଂଗତ ବ୍ୟକ୍ତିତ୍ୱଙ୍କ ସ୍ମୃତିରେ ‘ସୁନନ୍ଦା ସମ୍ମାନ’ ଏବଂ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର’ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଓଡ଼ିିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତି ବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ। ଏହାସହ ଶାସ୍ତ୍ରୀୟ ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର’ ପ୍ରତିଷ୍ଠା କରାଯିବ। ପୁରୀ ଓ କଟକସ୍ଥିତ ସୁନନ୍ଦାଙ୍କ ବାସଭବନକୁ ତାଙ୍କ ପରିବାର ଲୋକଙ୍କ ଅନୁମତିକ୍ରମେ ସ୍ମୃତି ସଦନ ଭାବେ ବିକଶିତ କରାଯିବ। ଏହାଛଡ଼ା ସୁନନ୍ଦା ପଟ୍ଟନାୟକଙ୍କ ଦ୍ୱାରା ବ୍ୟବହୃତ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ଗ୍ୟାଲେରିରେ ସଂରକ୍ଷିତ ରଖିବାକୁ ବ୍ୟବସ୍ଥା କରାଯିବ। ଏଥିପାଇଁ ସରକାରଙ୍କ ତରଫରୁ ସୁନନ୍ଦାଙ୍କ ବ୍ୟବହୃତ ଜିନିଷକୁ ଦାନ କରିବା ଲାଗି ତାଙ୍କ ପରିବାରକୁ ଅନୁରୋଧ ମଧ୍ୟ କରାଯିବ। ପ୍ରତ୍ୟେକ ବର୍ଷ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୁନନ୍ଦାଙ୍କ ଜୟନ୍ତୀ ପାଳନ କରାଯିବ।

Share