ଆଜି ହାଓଡି ମୋଦି କାର୍ଯ୍ୟକ୍ରମ

ହ୍ୟୁଷ୍ଟନ୍‌,୨୨ା୯(ଆଇଏଏନ୍‌ଏସ୍‌): ଆମେରିକାର ଟେକ୍ସାସ୍‌ ପ୍ରଦେଶ ଅନ୍ତର୍ଗତ ହ୍ୟୁଷ୍ଟନ୍‌ ସହରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଅନୁଷ୍ଠିତ ହେବ ‘ହାଓଡି ମୋଦି’ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ଶନିବାର ରାତିରେ ହ୍ୟୁଷ୍ଟନ୍‌ରେ ପହଞ୍ଚିଛନ୍ତି। ୩ ଘଣ୍ଟା ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକା କଂଗ୍ରେସ ଓ ସିନେଟ ସଦସ୍ୟଙ୍କ ସମେତ ୫୦ ହଜାର ଉତ୍ସାହୀ ପ୍ରବାସୀ ଭାରତୀୟ ଯୋଗଦେଇ ତାଙ୍କୁ ଅଭିନନ୍ଦନ ଜଣାଇବେ। ମୋଦିଙ୍କୁ ସ୍ବାଗତ କରିବା ଲାଗି ହ୍ୟୁଷ୍ଟନ୍‌ରେ ଜୋରଦାର ପ୍ରସ୍ତୁତି ଚାଲିଛି।
ଇଣ୍ଡିଆ ଫୋରମ୍‌ (ଟିଆଇଏଫ୍‌) ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏନ୍‌ଆର୍‌ଜି ଫୁଟ୍‌ବଲ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଐତିହାସିକ କାର୍ଯ୍ୟକ୍ରମରେ ୧୦୦୦ରୁ ଊର୍ଦ୍ଧ୍ୱ ଗୁଜରାଟୀ ଯୋଗଦେଇ ଦାଣ୍ଡିଆ ନୃତ୍ୟ ପରିବେଷଣ କରିବେ। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଜଣେ ରାଷ୍ଟ୍ର ମୁଖ୍ୟଙ୍କ ପାଇଁ ଏହା ସର୍ବବୃହତ କାର୍ଯ୍ୟକ୍ରମ। ଆମେରିକାରେ ଏଭଳି କାର୍ଯ୍ୟକ୍ରମ ପୂର୍ବରୁ କେବେ ହୋଇନାହିଁ ବୋଲି ଟିଆଇଏଫ୍‌ ମୁଖପାତ୍ର ଗିତେଶ ଦେଶାଇ କହିଛନ୍ତି। ଏହି ମେଗା ଶୋ’ରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ, ଯାହାର ଶୀର୍ଷକ ରହିଛି ‘ଓ୍ବଭନ’। ଭାରତୀୟ ଆମେରିକୀୟ ସମ୍ପ୍ରଦାୟ କିପରି ଆମେରିକାର ଅଂଶ ପାଲଟିଲେ ତାହା ଏଥିରେ ପ୍ରଦର୍ଶିତ ହେବ। ଅଂଶଗ୍ରହଣକାରୀ କଳାକାରମାନଙ୍କୁ ନେବା ଆଣିବା ପାଇଁ ଶତାଧିକ ବସ୍‌ ନିୟୋଜିତ ହୋଇଛି।
ହାଓଡି ମୋଦି କାର୍ଯ୍ୟକ୍ରମ ପୂର୍ବରୁ ଶୁକ୍ରବାର ହ୍ୟୁଷ୍ଟନରେ ଏକ କାର ରାଲି ଆୟୋଜିତ ହୋଇଥିଲା। ମୋଦିଙ୍କ ଗସ୍ତ ପୂର୍ବରୁ ସେଠାରେ ଇମେଲ୍ଡା ଘୂର୍ଣ୍ଣିଝଡ଼ଜନିତ ପ୍ରବଳ ବର୍ଷା ହୋଇଥିଲା। ହ୍ୟୁଷ୍ଟନ୍‌ର ଅନେକ ଅଞ୍ଚଳ ବନ୍ୟାପ୍ଳାବିତ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି।

Share