ଆଜି ୫ ଜିଲାରେ ବର୍ଷା ସମ୍ଭାବନା: ତିନିଦିନ ପ୍ରବଳ କୁହୁଡ଼ି, ୧୬ରୁ ଖସିବ ପାରଦ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଡିସେମ୍ବର ଅଧା ହେଲାଣି। ଏଯାଏ ରାଜ୍ୟରେ ଶୀତର ପ୍ରକୋପ ନାହିଁ। ରବିବାର ୫ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆଗକୁ ପାରଦ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ସ୍ବଳ୍ପ ପରିମାଣର ବର୍ଷା ହେବାର ଆଶଙ୍କା ରହିଥିବାବେଳେ ବାକି ଜିଲାଗୁଡ଼ିକରେ ପାଗ ଶୁଖିଲା ରହିବ। ସେହିପରି ଆସନ୍ତା ତିନିଦିନ ଉତ୍ତର ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳ କୁହୁଡ଼ି ହେବ। ରବିବାର ମୟୂରଭଞ୍ଜ, ଅନୁଗୋଳ, ସୁନ୍ଦରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଆଦି ୧୩ ଜିଲାର କେତେକ ସ୍ଥାନରେ କୁହୁଡ଼ି ହେବ। ସୋମବାର ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ ଓ କୋରାପୁଟ ଆଦି ୫ ଜିଲାର କିଛି ସ୍ଥାନରେ କୁହୁଡ଼ି ହେବ। ଅନ୍ୟପକ୍ଷରେ ଆସନ୍ତା ଦୁଇଦିନ ଆଭ୍ୟନ୍ତରୀଣ ଓଡ଼ିଶା ଓ ତିନିଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୬ତାରିଖ ପରେ ରାଜ୍ୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ଆର୍‌. ବିଶ୍ୱାସ କହିଛନ୍ତି।

Share