ଆଜି ୭୩ତମ ସ୍ବାଧୀନତା ଦିବସ:କଡ଼ା ସୁରକ୍ଷାରେ ରାଜଧାନୀ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):୭୩ତମ ସ୍ବାଧୀନତା ଦିବସ ପାଳନ ପାଇଁ ସାରା ରାଜ୍ୟ ପ୍ରସ୍ତୁତ ରହିଥିବାବେଳେ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଓ ରାଷ୍ଟ୍ରୀୟ ସାଲ୍ୟୁଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ। ସ୍ବାଧୀନତା ଦିବସ ସମାରୋହକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସକାଳ ୯ଟା ୧୫ରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସଭାସ୍ଥଳରେ ପହଞ୍ଚତ୍ବା ପରେ ୯ଟା ୧୭ରେ ପତାକା ଉତ୍ତୋଳନ କରିବେ। ଜାତୀୟ ସଙ୍ଗୀତ ଗାନ ପରେ ଟେରିଟୋରିଆଲ ଆର୍ର୍ମି, ତେଲେଙ୍ଗାନା ପୋଲିସ, ସେଣ୍ଟ୍ରାଲ ଆର୍ମ୍‌ଡ ପୋଲିସ ରାଷ୍ଟ୍ରୀୟ ସାଲ୍ୟୁଟ ପ୍ରଦାନ କରିବେ। ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେବେ। ଏଥିସହ ‘ଦେଶର ସ୍ବାଧୀନତା ସଂଗ୍ରାମରେ ମହାତ୍ମାଗାନ୍ଧୀଙ୍କ ଅବଦାନ ଓ ଓଡିଶାର ଭୂମିକା’କୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ।
ଅନ୍ୟପକ୍ଷରେ ଉତ୍ସବସ୍ଥଳ, ପ୍ରବେଶ ପଥ ଓ ଆଖପାଖ ଅଞ୍ଚଳକୁ ପୂରା ସୁରକ୍ଷା ବଳୟରେ ରଖାଯାଇଥିବାବେଳେ ଟ୍ରାଫିକ କଟକଣା ଜାରି କରାଯାଇଛି। ସକାଳ ସାଢେ ୬ଟାରୁ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆ ସଂଲଗ୍ନ ରାସ୍ତାକୁ ସିଲ୍‌ କରାଯିବ। ସରକାରୀ ପଦାଧିକାରୀଗଣ ଗେଟ୍‌ ନମ୍ବର- ୨ରେ ପାସ୍‌ ଗାଡି ସହ ପ୍ରବେଶ କରିବେ। ନିମନ୍ତ୍ରିତ ଅତିଥିଗଣ ଗେଟ୍‌ ନମ୍ବର-୩ରେ ପଡିଆକୁ ଯିବେ। ସେହିପରି ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ଗେଟ୍‌ ନମ୍ବର-୪ ଏବଂ ଗଣମାଧ୍ୟମ ପ୍ରତିନିଧି ଗେଟ୍‌ ନମ୍ବର-୫ ଦେଇ ଉତ୍ସବସ୍ଥଳକୁ ପ୍ରବେଶ କରିବେ। ଏହାବ୍ୟତୀତ କାର୍‌ ପାସ୍‌ ପାଇଥିବା ଗାଡିଗୁଡ଼ିକ ୨ କିମ୍ବା ୬ ନମ୍ବର ଗେଟ୍‌ ଦେଇ ପାର୍କିଂ ସ୍ଥାନକୁ ଯିବେ। ଅନ୍ୟପକ୍ଷରେ ଅତିଥିଙ୍କୁ କାର୍‌ ପାସ୍‌ ମିଳି ନ ଥିବାରୁ ସେମାନେ ମଧୁସୂଦନ ମାର୍ଗରୁ ଓହ୍ଲାଇ କାର୍ଯ୍ୟକ୍ରମସ୍ଥଳକୁ ଆସିବେ ଓ ସେମାନଙ୍କ ଗାଡ଼ିକୁ ୟୁନିଟ୍‌-୩ ଏବଂ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ସାଧାରଣ ଦର୍ଶକ ସେମାନଙ୍କ ଗାଡ଼ିକୁ ୟୁନିଟ୍‌-୩, କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ପାର୍କିଂ କରି ଗେଟ୍‌ ନମ୍ବର-୩ ଓ ୪ ଦେଇ ପ୍ରବେଶ କରିବେ। ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଦେଖିବା ପାଇଁ ୫ ହଜାର ଲୋକଙ୍କର ବସିବା ପାଇଁ ବ୍ୟବସ୍ଥା କରାଯାଇଛି।
ତେବେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ଦେଶରେ ହାଇଆଲର୍ଟ ଜାରି କରାଯାଇଥିବାରୁ ରାଜଧାନୀର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ପ୍ରଦର୍ଶନୀ ପଡିଆରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିବାବେଳେ ଏକ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୮୦ ଅଫିସର ଦାୟିତ୍ୱରେ ରହିବେ। ଏଥିସହ ଦୁଇ ୟୁନିଟ୍‌ ଏସଓଜି, କ୍ୟୁଏଟି, ଓଡିଶା ସୁଇଫ୍ଟ ଆକ୍ସନ ଫୋର୍ସ, ଓଡ୍ରାଫ, ଆଇଟିବିପି, ଷ୍ଟ୍ରାଇକିଂ ଫୋର୍ସ, ସନ୍ଧାନୀ କୁକୁର ସମେତ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ରହିବେ। ଏଥିସହ ସହରର ବିଭିନ୍ନ ହୋଟେଲ, ଗେଷ୍ଟ ହାଉସ୍‌ ଓ ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକରେ ପୋଲିସର ବ୍ଲକିଂ ଚେକିଂ କରାଯାଉଛି।