ଭୁବନେଶ୍ୱର,୧୬।୧୨(ବ୍ୟୁରୋ) : ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେଉ ନ ଥିବାବେଳେ ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ଉତ୍ତର-ଓଡ଼ିଶା ଓ ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ ଜିଲାର କିଛି ସ୍ଥାନରେ ଦୁଇଦିନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେପଟେ ପ୍ରବଳ କୁହୁଡ଼ିକୁ ଦୃଷ୍ଟିରେ ରଖି କେତେକ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସୋମବାର କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ ଓ କୋରାପୁଟ ଆଦି ୭ ଜିଲାରେ ପ୍ରବଳ କୁହୁଡ଼ି ହେବ। ତେଣୁ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରବିବାର ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳ କୁହୁଡ଼ି ଦେଖାଯାଇଥିଲା। ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଭଦ୍ରକ, ଜଗତ୍ସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଆଦି ୧୨ ଜିଲାରେ କୁହୁଡ଼ି ହୋଇଥିବାରୁ ଏଠାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିଲା। ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ଆସନ୍ତା ୨ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲ୍ସିୟସ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିଲା।