Categories: ରାଜ୍ୟ

ଆଟାଚି ଧରି ଘୂରି ବୁଲୁଛନ୍ତି ଅଜଣା ବ୍ୟକ୍ତି: ପୋଲିସ ପକ୍ଷରୁ ଯାଞ୍ଚ ନ ହେବାରୁ ଅସନ୍ତୋଷ

ନିରାକାରପୁର,୨୫ା୭(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଷ୍ଟେଶନ ଅଞ୍ଚଳରେ ଦୀର୍ଘ ୪ ମାସ ହେବ ଜଣେ ଅଜଣା ବ୍ୟକ୍ତି ଆଟାଚି ଓ ପାଣି ବୋତଲ ଧରି ଘୂରି ବୁଲୁଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି। ସେ ପ୍ରାୟ ସମୟରେ ଷ୍ଟେଶନ ବାହାରେ ୧୦୦ ମିଟର ମଧ୍ୟରେ ଏକୁଟିଆ ବସୁଛନ୍ତି କିମ୍ବା ବୁଲୁଛନ୍ତି। ତେବେ କାହା ସାଙ୍ଗରେ କଥାବାର୍ତ୍ତା ହେଉ ନାହାନ୍ତି। କେହି ତାଙ୍କୁ କିଛି ପଚାରିଲେ ମଧ୍ୟ ଉତ୍ତର ଦେଉନାହାନ୍ତି। ବ୍ୟକ୍ତି ଜଣକ କୌଣସି ଲୋକ ଦେଖିବା ଭଳି ତାଙ୍କ ଆଟାଚି ଖୋଲୁ ନାହାନ୍ତି କିମ୍ବା କୌଣସି ଲୋକଙ୍କଠାରୁ ଭିକ୍ଷା ନ ମାଗି ନିଜ ହାତରୁ ଖର୍ଚ୍ଚ କରୁଛନ୍ତି। ସେ କିଏ, କେଉଁଠୁ ଟଙ୍କା ଆଣୁଛନ୍ତି ଏବଂ କଣ ପାଇଁ ଏ ଅଞ୍ଚଳରେ ଘୂରି ବୁଲୁଛନ୍ତି ସେ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଓ ଆଶଙ୍କା ଖେଳିଯାଇଛି। ଏନେଇ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ହୋଇଥିବାବେଳେ କୌଣସି ପଦକ୍ଷେପ ଗ୍ରହଣ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଗଲେ ସନ୍ଦେହଜନକ ଭାବେ ଘୂରି ବୁଲୁଥିବା ଏହି ଅଜଣା ବ୍ୟକ୍ତିଙ୍କ ବିଷୟରେ ଅନେକ ତଥ୍ୟ ମିଳିପାରନ୍ତା ବୋଲି ଲୋକେ କହୁଛନ୍ତି। ଏ ନେଇ ନିରାକାରପୁର ଥାନା ଏଏସ୍‌ଆଇ ଶରତ ପାଇକରାୟଙ୍କୁ ପଚାରିବାରୁ ବାବଦରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

Share