Categories: ଅନୁଗୋଳ

ଆଠମଲ୍ଲିକ ଓ କିଶୋରନଗରରେ ବଢୁଛି ଗୋ-ଚାଲାଣ, ପ୍ରଶାସନ ନୀରବଦ୍ରଷ୍ଟା

ବଇଣ୍ଡା,୧୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରୁ ବେଆଇନ ଭାବେ ଗୋ-ଚାଲାଣ ବୃଦ୍ଧି ପାଉଛି। ବିଶେଷ କରି ଗତ କିଛିମାସ ହେବ ଠାକୁରଗଡ଼, କୁର୍ତ୍ତିବାସପୁର, ଅଙ୍ଗପଡ଼ା, ଧରଡ଼ପାଳ, କିଶୋରନଗର, ପାଇକସାହି ଆଦି ଅଞ୍ଚଳ ଗୁଡ଼ିକରୁ ଟ୍ରିପ ଟ୍ରିପ ଗୋରୁ ବୋଝେଇ ହୋଇ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉ ଥିବା ଅଭିଯୋଗ ହୋଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଘଟଣାରୁ ଜଣାପଡ଼ିଛି, କୁର୍ତ୍ତିବାସପୁର ପଞ୍ଚାୟତ ଜରପଡ଼ା ସାପ୍ତାହିକ ହାଟରୁ ପ୍ରତ୍ୟେକ ବୁଧବାର ୫୦ରୁ ଊର୍ଦ୍ଧ୍ୱ ଛୋଟ ଓ ବଡ଼ ଗାଡ଼ିରେ ଶତାଧିକ ଗୋରୁ ବୋଝେଇ କରି କିଶୋରନଗର ଓ ପାଇକସାହି ୨ଟି ରାସ୍ତା ଦେଇ କଟକ ଅଞ୍ଚଳକୁ ଚାଲାଣ କରାଯାଉଛି। ଏ ନେଇ ସ୍ଥାନୀୟ ଅଧିବାସୀମାନେ ବାରମ୍ବାର ସ୍ଥାନୀୟ ପୋଲିସ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ସେହିପରି ଉକ୍ତ ହାଟରୁ ଦୈନିକ ପୋଲିସ କର୍ମଚାରୀ ପ୍ରତ୍ୟେକ ଗୋରୁ ବ୍ୟବସାୟୀଙ୍କଠାରୁ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଶନିବାର ବିଳମ୍ବିତ ରାତିରେ ୫୫ ନଂ. ଜାତୀୟ ରାଜପଥ ଦେଇ ୩ଟି କଣ୍ଟେନରରେ କିଶୋରନଗର ଅଞ୍ଚଳରୁ ଗୋରୁ ବୋଝେଇ ହୋଇ ଯାଉଥିବା ଜଣାପଡ଼ିବା ପରେ ଶନିବାର ରାତିରେ ବଇଣ୍ଡା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପ୍ରତିଦିନ ଏହି ବାଟ ଦେଇ ବିପଦପୂର୍ଣ୍ଣ ଅବସ୍ଥାରେ ଗୋରୁ ଚାଲାଣ କରାଯାଉଥିବାବେଳେ ପୋଲିସର ଦୃଷ୍ଟି ପଡ଼ୁ ନ ଥିବାରୁ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ତୁରନ୍ତ ଅନୁଗୋଳ ଜିଲା ଏସ୍‌ପି ଦୃଷ୍ଟି ଦେଇ ବେଆଇନ ଗୋରୁ ଚାଲାଣ ଉପରେ ରୋକ ଲଗାଇବା ସହ ଅସାଧୁ ଗୋରୁ ବ୍ୟବସାୟୀଙ୍କୁ ଗିରଫ କରିବା ପାଇଁ ବଇଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି ହୋଇଛି। ଏ ନେଇ ହଣ୍ଡପା ଆଇଆଇସି ଲବ ବୋଡ଼ା କୁହନ୍ତି, ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ଗୋରୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।