Categories: ଖେଳ

ଆଡଭାନୀଙ୍କୁ ୨୨ତମ ବିଶ୍ୱ ଟାଇଟଲ

ମାଣ୍ଡଲେ(ମିଆଁମାର), ୧୫।୯(ପି.ଟି.)- ଭାରତୀୟ ବିଲିୟାଡର୍‌ସ ତାରକା ପଙ୍କଜ ଆଡଭାନୀ ରେକର୍ଡ ୨୨ତମ ବିଶ୍ୱ ଟାଇଟଲ ହାସଲ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଆଇବିଏସ୍‌ଏଫ୍‌ ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ରେ ସେ ଚାମ୍ପିୟନ ହୋଇଛନ୍ତି। ଚାମ୍ପିୟନଶିପ୍‌ର ୧୫୦- ଅପ୍‌ ଫର୍ମାଟରେ ସେ କ୍ରମାଗତ ଚତୁର୍ଥ ଫାଇନାଲରେ ବିଜୟୀ ହୋଇଛନ୍ତି। ଏଥିସହତ ୩୪ ବର୍ଷୀୟ ଆଡଭାନୀ ୨୦୧୪ରେ ପେସାଦାର ବିଲିୟାଡର୍‌ସକୁ ଫେରିବା ପରେ ପ୍ରତିବର୍ଷ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ବିଲିୟାଡର୍‌ସର ଏହି ଛୋଟିଆ ଫର୍ମାଟରେ ଆଡଭାନୀ ଗତ ୬ ବର୍ଷ ମଧ୍ୟରେ ପଞ୍ଚମଥର ପାଇଁ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ସେ ମ୍ୟାନମାରର ଫେଭରାଇଟ ଖେଳାଳି ନେ ଥ୍ବା ଓଙ୍କୁ ୬-୨ରେ ପରାସ୍ତ କରିଛନ୍ତି।
ଗତବର୍ଷ ଫାଇନାଲରେ ଏହି ଦୁଇ ଖେଳାଳି ପରସ୍ପରକୁ ଭେଟିଥିଲେ। ଏଥର ଆଡଭାଣୀ ସମ୍ପୂର୍ଣ୍ଣ ଏକପାଖିଆ ଭାବେ ମ୍ୟାଚ୍‌ ହାତେଇ ନେଇଥିଲେ। ଫାଇନାଲ ମୁକାବିଲାରେ ସେ ୬-୨ (୧୫୦-୪, ୧୫୧- ୬୬, ୧୫୦- ୫୦, ୭- ୧୫୦, ୧୫୧- ୬୯, ୧୫୦-୦, ୧୩୩- ୧୫୦, ୧୫୦- ୭୫)ରେ ନେଙ୍କୁ ପରାସ୍ତ କରିଥିଲେ। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ ଆଡଭାନୀ ଇଂଲଣ୍ଡର ମାଇକ୍‌ ରସେଲଙ୍କୁ ୫-୨ରେ ପରାସ୍ତ କରିଥିଲେ। ସେହିପରି ଅନ୍ୟ ଏକ ସେମିଫାଇନାଲରେ ନେ ଥ୍ବା ଓ ୫-୩ରେ ଭାରତର ସୌରଭ କୋଠାରିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।

Share