ଆଡ଼ପ ମଣ୍ଡପରେ ଜମୁଛି ଭିଡ଼: ସାନ୍ଧ୍ୟ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୦।୭: ରତ୍ନବେଦି ଛାଡ଼ି ଜନ୍ମବେଦିରେ ଚାଲିଛି ଶ୍ରୀଜୀଉଙ୍କ ଲୀଳାଖେଳା। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ପ୍ରମୁଖ ଅଂଶ ହେଉଛି ଆଡ଼ପ ଦର୍ଶନ। ଠାକୁର ପ୍ରତିଦିନ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହାକୁ ଦେଖିବାକୁ ସ୍ଥାନୀୟ ବାଜିଚୌକ୍‌ସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେଉଛି ଅସମ୍ଭାଳ ଭିଡ଼। ଶୁକ୍ରବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ପ୍ରଭୁ ଜଗନ୍ନାଥ। ଗୁରୁବାର ସୁଦଶା ବ୍ରତ ପଡ଼ୁଥିବାରୁ ବୁଧବାର ସନ୍ଧ୍ୟା ଆଳତି ଦର୍ଶନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ଖିରି ପ୍ରସାଦର ମଜା ନେଇଥିଲେ ଶତାଧିକ ଶ୍ରଦ୍ଧାଳୁ। ଶୁକ୍ରବାର ବାହୁଡ଼ା ଯାତ୍ରା। ଉକ୍ତ ଦିନ ହରିଶୟନ ଏକାଦଶୀ ଉପଲକ୍ଷେ ସନ୍ଧ୍ୟାରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ସମସ୍ତ ନୀତି ଠିକ୍‌ ସମୟରେ ସାରିବାକୁ ମଧ୍ୟାହ୍ନରେ ରଥଟଣା ଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।