Categories: ଜାତୀୟ

ଆଣବିକ କ୍ଷେପଣାସ୍ତ୍ର ଘାଟି: ଭାରତ-ପାକିସ୍ତାନ ତାଲିକା ଦିଆନିଆ

ନୂଆଦିଲ୍ଲୀ,୨ା୧(ପି.ଟି.): ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନରେ କେତେ ଆଣବିକ କ୍ଷେପଣାସ୍ତ୍ର ଘାଟି ରହିଛି ତାହାର ଏକ ତାଲିକା ନୂଆଦିଲ୍ଲୀକୁ ପ୍ରଦାନ କରିଛି ଇସ୍‌ଲାମାବାଦ। ୨୯ ବର୍ଷ ଧରି ଦୁଇଦେଶ ମଧ୍ୟରେ ଏହି ତାଲିକା ଦିଆନିଆ ପରମ୍ପରା ବଜାୟ ରହିଛି।
ଆଣବିକ କ୍ଷେପଣାସ୍ତ୍ର ଘାଟି ଉପରେ ଆକ୍ରମଣ ନିରୋଧୀ ଚୁକ୍ତି ଅନୁସାରେ ଭାରତ ଓ ପାକିସ୍ତାନ ବୁଧବାର ପରସ୍ପରକୁ ନିଜ ନିଜ ସାମର୍ଥ୍ୟ ନେଇ ଅବଗତ କରାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦରେ କୂଟନୀତିଜ୍ଞଙ୍କ ମଧ୍ୟରେ ଏହି ତାଲିକା ବିନିମୟ ପ୍ରକ୍ରିୟା ଶେଷ ହୋଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରକାଶ ଯେ, ୧୯୮୮ ଡିସେମ୍ବର ୩୧ରେ ସ୍ବାକ୍ଷରିତ ଏହି ଦ୍ୱିପାକ୍ଷିକ ଚୁକ୍ତି ୧୯୯୧ ଜାନୁୟାରୀରୁ କାର୍ଯ୍ୟକାରୀ ହେଉଛି। ଚୁକ୍ତି ଅନୁସାରେ ଦୁଇ ପଡ଼ୋଶୀ ପରସ୍ପରର ପରମାଣୁ ଘାଟି ଉପରେ ଆକ୍ରମଣ କରିପାରିବେ ନାହିଁ। ପ୍ରତିବର୍ଷ ଜାନୁୟାରୀ ୧ରେ ନିଜ ନିଜ ଆଣବିକ କ୍ଷମତା ନେଇ ପରସ୍ପରକୁ ତାଲିକା ପ୍ରଦାନ କରାଯିବା ଏଥିରେ ବାଧ୍ୟତାମୂଳକ କରାଯାଇଛି।

Share