Categories: ଜାତୀୟ

ଆଣବିକ ପରୀକ୍ଷାରେ ଘୁଞ୍ଚତ୍ଥିଲା ପର୍ବତ

ଚେନ୍ନାଇ,୧୮ା୧୧: ଉତ୍ତର କୋରିଆ ୨୦୧୭ରେ ଆଣବିକ ପରୀକ୍ଷା କରିଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ପରୀକ୍ଷାସ୍ଥଳ ମାଉଣ୍ଟ ମଣ୍ଟପର ଉପରିଭାଗକୁ ଘୁଞ୍ଚାଇଦେଇଥିଲା। ହିରୋସୀମାରେ ପଡ଼ିଥିବା ପରମାଣୁ ବୋମାଠାରୁ ଏହା ୧୭ଗୁଣ ଅଧିକ ଶକ୍ତିଶାଳୀ ଥିଲା ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକ କେ.ଏମ୍‌. ଶ୍ରୀଜିତ୍‌, ରିତେଶ ଅଗ୍ରଓ୍ବାଲ ଏବଂ ଏ.ଏସ୍‌. ରାଜଓ୍ବାତ୍‌ଙ୍କୁ ନେଇ ଗଠିତ ଟିମ୍‌ ଉତ୍ତରକୋରିଆ ଅଣୁଅସ୍ତ୍ର ପରୀକ୍ଷାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସେମାନଙ୍କ ଗବେଷଣାତ୍ମକ ସନ୍ଦର୍ଭ ‘ଜିଓଫିଜିକାଲ ଜର୍ନାଲ ଇଣ୍ଟରନ୍ୟାଶନାଲ୍‌’ରେ ପ୍ରକାଶ ପାଇଛି। ବିସ୍ଫୋରଣ ଯୋଗୁ ପର୍ବତ ଉପରିଭାଗର ଏକ ବଡ଼ଅଂଶର ରୂପରେଖ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଏହା ଜାପାନ ସାଟେଲାଇଟ ଆଲୋସ୍‌-୨ର ଲାଇନ୍‌ ଅଫ ସାଇଟ ପାଖରୁ ୦.୫ ମିଟର ପର୍ଯ୍ୟନ୍ତ ଘୁଞ୍ଚତ୍ୟାଇଥିଲା। ପର୍ବତର ୫୪୨ ମିଟର ଗଭୀରରେ ଅଣୁଅସ୍ତ୍ର ପରୀକ୍ଷା କରାଯାଇଥିଲା। ସାଟେଲାଇଟ ତଥ୍ୟ ଆଧାରରେ ପରୀକ୍ଷା କରାଯାଇଥିବା ଅଣୁଅସ୍ତ୍ର ୨୪୫ରୁ ୨୭୧ କିଲୋଟନ୍‌ ହେବ ବୋଲି ଗବେଷକମାନେ ଆକଳନ କରୁଛନ୍ତି। ୧୯୪୫ରେ ହିରୋସୀମାରେ ପଡ଼ିଥିବା ପରମାଣୁ ବୋମା ଥିଲା ୧୫ କିଲୋଟନ। ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୩ରେ ଉତ୍ତର କୋରିଆ ଥର୍ମୋନ୍ୟୁକ୍ଲିୟର ଯୁଦ୍ଧାସ୍ତ୍ର (ହାଇଡ୍ରୋଜେନ ବୋମା) ପରୀକ୍ଷା କରିଥିଲା। ଏହି ପରୀକ୍ଷା ପୂର୍ବରୁ ଉତ୍ତରକୋରିଆ ନେତା କିମ୍‌ ଜଙ୍ଗ-ଉନ୍‌ ଉକ୍ତ ଯୁଦ୍ଧାସ୍ତ୍ରର ମଡେଲ ପ୍ରଦର୍ଶନ କରିଥିଲେ।

Share