ଆଣିପାରିଲେନି ଦାଦନଙ୍କ ମୃତଦେହ

ଗୋରଖପୁର,୨୨ା୪(ପି.ଟି.): ଦାଦନ ଶ୍ରମିକଙ୍କ ମୃତଦେହ ଶତାଧିକ କିଲୋମିଟର ଦୂରରେ ଥିବାବେଳେ ତାଙ୍କ ପୁତ୍ତଳିକାରେ ବର୍ଷକର ଶିଶୁପୁତ୍ର ମୁଖାଗ୍ନି ଦେଇ ନକଲି ଶେଷକୃତ୍ୟ ସମ୍ପନ୍ନ କରିବାର ହୃଦୟବିଦାରକ ଦୃଶ୍ୟ ଉତ୍ତରପ୍ରଦେଶର ଚୌରିଚୋରା ଥାନା ଅନ୍ତର୍ଗତ ଦୁବ୍ରିଖୁର୍ଦ ଗ୍ରାମରେ ଦେଖିବାକୁ ମିଳିଛି।
ଦିଲ୍ଲୀରେ ଦାଦନ ଭାବେ କାର୍ଯ୍ୟ କରୁଥିବା ସୁନୀଲଙ୍କର ଗତ ସପ୍ତାହରେ ମୃତ୍ୟୁ ହୋଇଥିଲା। ଦୁବ୍ରିଖୁର୍ଦରେ ରହୁଥିବା ତାଙ୍କ ପରିବାର ଦାରିଦ୍ର୍ୟ ଓ ଲକ୍‌ଡାଉନ କଟକଣା ଯୋଗୁ ମୃତଦେହକୁ ଗାଁକୁ ଆଣିପାରି ନ ଥିଲେ କି ସେଠାକୁ ଯାଇ ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ସେମାନଙ୍କ ପାଖରେ ସମ୍ବଳ ନ ଥିଲା। ଫଳରେ ପରିବାର ବାଧ୍ୟ ହୋଇ ତାଙ୍କ ପୁତ୍ତଳିକାରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଦିଲ୍ଲୀରେ ଶବବ୍ୟବଚ୍ଛେଦ ପରେ ବୁଧବାର ଅନ୍ତିମ ସଂସ୍କାର କରାଯିବ ବୋଲି ଚୌରିଚୌରା ଏସ୍‌ଡିଏମ୍‌ ଅର୍ପିତା ଗୁପ୍ତା କହିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁନୀଲଙ୍କ ସ୍ତ୍ରୀ ପୁନମ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୫,୦୦୦ ଟଙ୍କା ଜମା କରାଯାଇଛି।

Share