ଜିଲାପାଳଙ୍କ ବିନା ଅନୁମୋଦନରେ ୬ କନିଷ୍ଠ କିରାଣିଙ୍କୁ ଡେପୁଟେଶନ୍‌ରେ ଡିଇଓ ଅଫିସରେ ନିୟୋଜିତ: ଅନିୟମିତତା ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଦାବି

ଭବାନୀପାଟଣା,୧।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୩ କନିଷ୍ଠ କିରାଣି ଓ ୩ ବରିଷ୍ଠ କିରାଣି ପଦବୀ ରହିଛି । ଏହି ପଦବୀରେ ୬ ନିୟମିତ କିରାଣି ଜିଲା ଶିକ୍ଷା କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇଥିଲେ ହେଁ ଜିଲାର ବିଭିନ୍ନ ହାଇସ୍କୁଲରୁ ଆହୁରି ୬ କନିଷ୍ଠ କିରାଣିଙ୍କୁ ଡେପୁଟେଶନ୍‌ରେ ଆଣି ବର୍ଷ ବର୍ଷ ହେଲା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ଯଦିଓ ଜିଲାର ୬ଟି ହାଇସ୍କୁଲରୁ ଡେପୁଟେଶନରେ ଅଣାଯାଇଥିବା ଏହି ୬ କିରାଣିଙ୍କ ଡେପୁଟେଶନର ପ୍ରସ୍ତାବ ଜିଲାପାଳଙ୍କ ବିନା ଅନୁମୋଦନରେ ହୋଇଛି। ମାତ୍ର ଏହା ଦ୍ୱାରା ସଂପୃକ୍ତ ହାଇସ୍କୁଲଗୁଡିକରେ ଅଫିସ କାର୍ଯ୍ୟରେ ସମସ୍ୟା ଦେଖାଦେଉଛି ।
ଗତବର୍ଷ ୪୫ଜଣ ପ୍ରାଥମିକ ଶିକ୍ଷକଙ୍କର ଜିଲାପାଳଙ୍କ ବିନା ଅନୁମୋଦନରେ କରାଯାଇଥିବା ଡେପୁଟେଶନ୍‌ ବାତିଲ କରାଯାଇଛି। କିନ୍ତୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲାପାଳଙ୍କ ବିନା ଅନୁମୋଦନରେ କିଭଳି ୬ କନିଷ୍ଠ କିରାଣିଙ୍କୁ ଡେପୁଟେଶନରେ ବର୍ଷବର୍ଷ ଧରି ରଖାଯାଇଛି ତାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ ଉଠିଛି। ଯେଉଁ ହାଇସ୍କୁଲଗୁଡିକରେ କିରାଣିମାନଙ୍କୁ ଡେପୁଟେଶନରେ ଅଣାଯାଇଛି ସେହି ହାଇସ୍କୁଲ ଗୁଡିକରେ ଶିକ୍ଷକମାନେ କିରାଣି କାର୍ଯ୍ୟକରୁଥିବାରୁ ଶିକ୍ଷାଦାନରେ ବାଧା ଉପୁଜିଛି ।
ନିକଟରେ ଜିଲାର ୨୦୮ ଜଣ ଚୁକ୍ତିଭିତ୍ତିକ ଶିକ୍ଷକଙ୍କର ବକେୟା ଦରମା ଦେବା ଓ ୯୧ଟି ବ୍ଲ୍ଳକ ଗ୍ରାଣ୍ଟ ହାଇସ୍କୁଲର ଆପ୍ରୁଭାଲ ପାଇଁ ସ୍କୁଲ ପିଛା ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଉନାହିଁ। ଏ ନେଇ ଭିଜିଲାନ୍ସ ବିଭାଗ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହେଉଥିବା ଏହି ସବୁ ଅନିୟମିତତା ସମ୍ପର୍କରେ ତଦନ୍ତ କରିବା ପାଇଁ ଶିକ୍ଷକ ମହଲରେ ଦାବି ହେଉଛି ।