ଆକାର ପଟେଲ
ଚେ ଗେଭାରା ଥିଲେ ଜଣେ ସୀମାପାର ଆତଙ୍କବାଦୀ। ସେ ଜଣେ ଡାକ୍ତର ଥିଲେ ଏବଂ ବର୍ତ୍ତମାନ ତାଙ୍କୁ ସାରା ବିଶ୍ୱରେ ବହୁ ଲୋକ ଜଣେ ମାର୍କ୍ସବାଦୀ ବିପ୍ଳବୀ ଭାବେ ଅଭିହିତ କରୁଛନ୍ତି। ୧୯୫୯ ମସିହାରେ ୩୧ ବର୍ଷ ବୟସରେ ଚେ ଭାରତ ଆସିଥିଲେ ଏବଂ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ସହ ଭୋଜନ କରିଥିଲେ। ସେ ଦୁଇଟି ପୁସ୍ତକ ଲେଖିଛନ୍ତି: ‘ଦ ବଲିଭିଆନ ଡାଏରୀ’ ଓ ‘ଦ ମୋଟରସାଇକେଲ ଡାଏରିଜ୍’। ଦ୍ୱିତୀୟ ପୁସ୍ତକର କଥାବସ୍ତୁକୁ ନେଇ ୨୦୦୪ରେ ଏକ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ଚେ ହେଉଛନ୍ତି ଜଣେ ଆର୍ଜେଣ୍ଟିନାବାସୀ କିନ୍ତୁ ଫିଡେଲ କାଷ୍ଟ୍ରୋଙ୍କ ଗୃହଯୁଦ୍ଧରେ ବାତିସ୍ତା ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ସେ କ୍ୟୁବା ଯାଇଥିଲେ। ତା’ପରେ ସେ ବାରିଏଣ୍ଟୋଙ୍କ ସରକାର ବିରୋଧରେ ଗେରିଲା ଯୁଦ୍ଧ ଲଢ଼ିବା ପାଇଁ ବଲିଭିଆ ଯାଇଥିଲେ। ଚେ’ଙ୍କ ନିଜ ଲେଖା ଅନୁସାରେ ସେ ଓ ତାଙ୍କ ଲୋକମାନେ ଲୁଚିଛପି ଅନେକ ସୈନିକଙ୍କୁ ମାରିଛନ୍ତି। ୧୯୬୭ ମସିହାରେ ୩୯ ବର୍ଷ ବୟସରେ ଚେ ଗେଭାରା ସେନା ଦ୍ୱାରା ଧରା ହୋଇ ମୃତ୍ୟୁଦଣ୍ଡ ପାଇଲେ।
ଜର୍ଜ ଅର୍ଓ୍ବେଲ ମଧ୍ୟ ଥିଲେ ଜଣେ ସୀମାପାର ଆତଙ୍କବାଦୀ। ସେ ଜଣେ ପୋଲିସ ଅଫିସର ଥିଲେ ଯିଏ ବିହାରର ମୋତିହାରୀରେ ଜନ୍ମଗ୍ରହଣ କରିଥିଲେ। ସରକାରୀ ଚାକିରି ପରେ ସେ ଅନେକ ପୁସ୍ତକ ଲେଖିଲେ ଯାହା ତାଙ୍କୁ ଇତିହାସରେ ଜଣେ ପ୍ରଭାବଶାଳୀ ଲେଖକର ମର୍ଯ୍ୟାଦା ଦେଲା। ତାଙ୍କ ପୁସ୍ତକଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ୧୯୮୪ ଆଣ୍ଡ୍ ଆନିମଲ ଫାର୍ମ। କାର୍ଗିଲ ଯୁଦ୍ଧ ସମୟରେ ବାଜପେୟୀଙ୍କ ସରକାର ତାଙ୍କ ପୁସ୍ତକକୁ ପ୍ରଶଂସା କରିଥିଲେ। ଅନେକ ଆଧୁନିକ ଲେଖକ ସମୟକ୍ରମେ ଅପ୍ରାସଙ୍ଗିକ ହୋଇପଡ଼ୁଛନ୍ତି କିନ୍ତୁ ଅର୍ଓ୍ବେଲଙ୍କ ପୁସ୍ତକଗୁଡ଼ିକର ଲୋକପ୍ରିୟତା ଅନେକ ଦଶନ୍ଧି ପରେ ବି ଅତୁଟ ରହିଛି।
କିନ୍ତୁ ହିଂସାତ୍ମକ ପଥକୁ ଆପଣେଇବାରେ ଅର୍ଓ୍ବେଲଙ୍କର କୌଣସି ଆପତ୍ତି ନ ଥିଲା। ସେ ଜଣେ ବ୍ରିଟିଶ ନାଗରିକ ଥିଲେ କିନ୍ତୁ ୧୯୩୭ ମସିହାରେ ଜେନେରାଲ ଫ୍ରାଙ୍କୋଙ୍କ ବିରୋଧରେ ଗୃହଯୁଦ୍ଧରେ ଭାଗନେବା ପାଇଁ ସେ ସ୍ପେନ ଯାଇଥିଲେ। ସେ ତାଙ୍କ ଅନୁଭୂତିକୁ ନେଇ ଏକ ପୁସ୍ତକ ଲେଖିଛନ୍ତି ଯାହାର ନାମ ‘ହୋମେଜ୍ ଟୁ କାଟାଲୋନିଆ’। ଏଥିରେ ସେ ଲୋକକୁ ବୋମାମାଡ଼ କରି ମାରିଥିବା କଥା ପ୍ରକାଶ କରିବା ସହ ତାଙ୍କ ନିଜ ଗଳାକୁ ଗୁଳିବିଦ୍ଧ କରାଯାଇଥିବା କଥା ଲେଖିଛନ୍ତି।
ଏବେ ମୁଁ ଏହି ଉଦାହରଣଗୁଡ଼ିକ ଦେବାର କାରଣ କ’ଣ ଲେଖୁଛି। ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ୟୁନାଇଟେଡ୍ ଜେନେରାଲ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ଅବସରରେ କହିଥିଲେ: ”ଜାତିସଂଘ ଶାନ୍ତିରକ୍ଷା ମିଶନ ପାଇଁ ଲଢ଼େଇ କରି ଆତ୍ମବଳି ଦେଇଥିବା ସବୁଠାରୁ ଅଧିକ ସୈନିକ ହେଉଛନ୍ତି ଭାରତର। ଆମେ ବିଶ୍ୱକୁ ଯୁଦ୍ଧ ଦେଇ ନାହୁଁ ବରଂ ବୁଦ୍ଧଙ୍କ ଶାନ୍ତିର ବାର୍ତ୍ତା ଦେଇଛୁ। ସେଥିପାଇଁ ଆମେ ସାରା ବିଶ୍ୱରେ ଶାନ୍ତିଭଙ୍ଗ କରୁଥିବା ଆତଙ୍କବାଦ ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରୁଛୁ। ଆତଙ୍କବାଦ ଏକ ବିରାଟ ଆହ୍ବାନ ଯାହା ବିରୋଧରେ କୌଣସି ଗୋଟିଏ ଦେଶ ଲଢ଼ିପାରିବ ନାହିଁ ଏବଂ ସମଗ୍ର ବିଶ୍ୱ ଏହା ବିରୋଧରେ ଏକଜୁଟ ହେବା ଆବଶ୍ୟକ।“ ପ୍ରଧାନମନ୍ତ୍ରୀ ଠିକ୍ କଥା କହିଛନ୍ତି ଯେ ଆତଙ୍କବାଦ ପ୍ରସଙ୍ଗ ଉପରେ ସାରା ବିଶ୍ୱରେ ଐକମତ୍ୟ ନାହିଁ। କିନ୍ତୁ ଏହାର କାରଣ କ’ଣ? ତାହାର ଉତ୍ତର ହେଉଛି ଆତଙ୍କବାଦ ଓ ଆତଙ୍କବାଦୀର ଏକ ସର୍ବଗ୍ରାହ୍ୟ ସଂଜ୍ଞା ନାହିଁ।
କଂଗ୍ରେସ ଅମଳରେ ତିଆରି ହୋଇଥିବା ଆତଙ୍କବାଦ ବିରୋଧୀ ଆଇନ ଟାଡାରେ କୁହାଯାଇଛି: ”ଯଦି କୌଣସି ବ୍ୟକ୍ତି ସରକାରଙ୍କ ଆଇନ ବିରୋଧରେ ଯାଇ କାର୍ଯ୍ୟ କରେ, ଲୋକମାନଙ୍କୁ ଆତଙ୍କିତ କରେ, ବୋମା, ଡିନାମାଇଟ ବା ଅନ୍ୟ ବିସ୍ଫୋରକ ଦ୍ରବ୍ୟ, ବିଷାକ୍ତ ଗ୍ୟାସ୍ ବା ରାସାୟନିକ ବ୍ୟବହାର କରି ଲୋକଙ୍କ ଜୀବନ ବା ସର୍ବସାଧାରଣ ସମ୍ପଦ ନଷ୍ଟର କାରଣ ହୁଏ ବା ସର୍ବସାଧାରଣଙ୍କ ବଞ୍ଚିବା ପାଇଁ ଆବଶ୍ୟକ ଯୋଗାଣ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଏ, ତେବେ ଏହି କାର୍ଯ୍ୟକୁ ଆତଙ୍କବାଦ ବୋଲି କୁହାଯିବ।“ ଆମର ଦ୍ୱିତୀୟ ଆତଙ୍କବାଦ ବିରୋଧୀ ଆଇନ ହେଉଛି ପୋଟା ଯାହା ଭାଜପା ସରକାର ଅମଳରେ ତିଆରି ହୋଇଛି। ଏହି ଆଇନରେ ପ୍ରଦତ୍ତ ସଂଜ୍ଞା ଅନୁସାରେ ଦେଶର ଏକତା, ଅଖଣ୍ଡତା, ସୁରକ୍ଷା ବା ସାର୍ବଭୌମତ୍ୱକୁ ବିପନ୍ନ କରୁଥିବା କାର୍ଯ୍ୟ ବା ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରୁଥିବା କାର୍ଯ୍ୟକୁ ଆତଙ୍କବାଦ କୁହାଯିବ। ଏହି ସଂକ୍ଷିପ୍ତ ଓ ଅସ୍ପଷ୍ଟ ସଂଜ୍ଞା ଯୋଗୁ ବିଭ୍ରାନ୍ତି ସୃଷ୍ଟି ହେଉଛି ଏବଂ ଆମ ଦେଶରେ ଦୋଷୀ ସାବ୍ୟସ୍ତ ହେବାର ହାର ସବୁଠାରୁ କମ୍ ରହୁଛି। ଟାଡା ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ ହାର ୧ ପ୍ରତିଶତ ଥିବା ବେଳେ ପୋଟା ଆଇନ ଅନୁସାରେ ୧ ପ୍ରତିଶତରୁ କମ୍ ରହୁଛି। ତେଣୁ ଭାରତୀୟ ଆଇନରେ ସଂଜ୍ଞାକୁ ଅଧିକ ସ୍ପଷ୍ଟ କରାଯିବା ଆବଶ୍ୟକ ଥିବାବେଳେ ଭଲ ଆଇନ ତିଆରି କରିବାକୁ ଆମ ଆଇନ ନିର୍ମାତାମାନେ ଗୁରୁତ୍ୱ ଦେଉନାହାନ୍ତି। ଭାରତରେ ଜଣେ ସଶସ୍ତ୍ର ଲୋକ ନିରସ୍ତ୍ର ଜନତାଙ୍କୁ ଆକ୍ରମଣ କରିବାକୁ ଆତଙ୍କବାଦ କୁହାଯାଉଛି। ସଶସ୍ତ୍ର ଲୋକ ଅନ୍ୟ ସଶସ୍ତ୍ର ଲୋକଙ୍କ ଉପରେ ଆକ୍ରମଣ କରିବାକୁ ବି ଆତଙ୍କବାଦ କୁହାଯାଉଛି। ସେନା ଶିବିର ଉପରେ ଉଗ୍ରବାଦୀଙ୍କ ଆକ୍ରମଣ ବି ଆତଙ୍କବାଦ। ତା’ହେଲେ ଆକ୍ରମଣକାରୀ କିଏ? ଦଳେ ଲୋକ ସଂଖ୍ୟାଲଘୁ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରିବା ପାଇଁ ତାଙ୍କୁ ଆକ୍ରମଣ କଲେ ତାଙ୍କୁ ଦଙ୍ଗାକାରୀ ବୋଲି କୁହାଯାଉଛି। ଏକା ଅପରାଧ ଏକା ପ୍ରକାର ଉପାୟରେ କରାଗଲେ ମଧ୍ୟ ତାକୁ ଭିନ୍ନ ଭିନ୍ନ ନାଁ ଦିଆଯାଉଛି। ତେବେ ଭାରତ ଏକମାତ୍ର ଦେଶ ନୁହେଁ, ଯେଉଁଠି ଏପରି ଘଟୁଛି।
ଦୁଇ ପ୍ରକାର ଘଟଣାରେ ଯେଉଁଠି ଜଣେ ବନ୍ଧୁକଧାରୀ ବହୁ ନିରସ୍ତ୍ର ସାଧାରଣ ଲୋକଙ୍କୁ ହତ୍ୟାକଲେ ଆମେରିକା ରାଷ୍ଟ୍ରପତି ଜଣଙ୍କୁ କହିବେ ଆତଙ୍କବାଦୀ ଏବଂ ଅନ୍ୟ ଜଣଙ୍କୁ କହିବେ ମାନସିକ ବିକୃତ- ତାହା ନିର୍ଭର କରୁଛି ଉକ୍ତ ବନ୍ଧୁକଧାରୀଙ୍କ ଧର୍ମ ଉପରେ। ଭାରତରେ ବର୍ତ୍ତମାନ ଯେଉଁ ସଂଜ୍ଞା ପ୍ରଚଳିତ ସେହି ଅନୁସାରେ ଚେ ଓ ଅର୍ଓ୍ବେଲ ଆତଙ୍କବାଦୀ ବିବେଚିତ ହେବେ। ସାରା ପୃଥିବୀରେ ଆତଙ୍କବାଦର ସଂଜ୍ଞାକୁ ନେଇ ଐକମତ୍ୟ ନ ଥିବା ବେଳେ ଭାରତ ଉକ୍ତ ବିଭ୍ରାନ୍ତିକୁ ଆହୁରି ବୃଦ୍ଧି କରିବାରେ ସାହାଯ୍ୟ କରିଛି।
Email: aakar.patel@gmail.com