Categories: ଜାତୀୟ

ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପାକିସ୍ତାନୀ ଡ୍ରୋନ୍‌ ଧରାପଡ଼ିଲା

ଅମୃତସର,୨୫।୯: ଭାରତରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଡ୍ରୋନ୍‌ର ବ୍ୟବହାର କରୁଛି। ଏନେଇ ପଞ୍ଜାବ ପୋଲିସ ଏକ ଡ୍ରୋନ୍‌କୁ ଜବତ କରିଛି। ପଞ୍ଜାବ ପୋଲିସର ଗୋଇନ୍ଦା ଶାଖା ପକ୍ଷରୁ ଏଭଳି ଏକ ଡ୍ରୋନ୍‌କୁ ଧରାଯାଇଛି। ଏହା ଭାରତ-ପାକିସ୍ତାନ ସୀମାନ୍ତ ଜିଲା ତରନ୍‌ତାରନ୍‌ର ଝବାଲ ଅଞ୍ଚଳରୁ ମିଳିଛି। ଖଲିସ୍ତାନ ଜିନ୍ଦାବାଦ୍‌ ଫୋର୍ସ ସଦସ୍ୟ ଏହାକୁ ଅସ୍ତ୍ରଶସ୍ତ୍ର ସହିତ ଏକ ଗୋଦାମରେ ଲୁଚାଇ ରଖିଥିଲେ। ଏହାକୁ ଜଳାଇବାର ଉଦ୍ୟମ କରାଯାଉଥିବାବେଳେ ପୋଲିସ ହାତରେ ଧରାପଡ଼ିଥିବା କୁହାଯାଉଛି। ଏହି ଡ୍ରୋନ୍‌ର ଓଜନ ୧୦ କିଲୋଗ୍ରାମ୍‌। ଏହା ଥରକେ ସାଢ଼େ ୪ କିଲୋଗ୍ରାମ୍‌ ଓଜନର ଏକେ-୪୭ ରାଇଫଲ୍‌ ସହଜରେ ଉଡ଼ାଇ ନେବାକୁ ସକ୍ଷମ। ୮ଟି ଡ୍ରୋନ୍‌ ଦ୍ୱାରା ସେପ୍ଟେମ୍ବର ୬-୭, ୯-୧୦ ଏବଂ ୧୫-୧୬ ରାତିରେ ଅସ୍ତ୍ରଶସ୍ତ୍ର ସୀମାପାରରୁ ଆସିଥିବା ପୋଲିସ ସୂଚନା ଦେଇଛି। ଏହାଦ୍ୱାରା ୮୦ କିଲୋଗ୍ରାମ୍‌ ଅସ୍ତ୍ରଶସ୍ତ୍ର ଅଣାଯାଇଥିବା କୁହାଯାଉଛି। ଏହାକୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯିବାର ଯୋଜନା କରାଯାଇଥିବା ପୋଲିସ କହିଛି।

Share