ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରୁ ପାକ୍‌

ଜେନେଭା,୨୯ା୨(ପି.ଟି.): ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ପାଣ୍ଠି ଯୋଗାଣ ବନ୍ଦ କରୁ। ଏଥିସହିତ ସେଠାରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ପାଇଁ ଜାତିସଂଘରେ ପାକିସ୍ତାନର ଶୀର୍ଷ ନେତୃତ୍ୱକୁ ଭାରତ ପରାମର୍ଶ ଦେଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିବା ଇସ୍‌ଲାମାବାଦକୁ ଗତ ସପ୍ତାହରେ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ଧୂସର ତାଲିକାରେ ରଖିବା ସହ ୪ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା।
ଜାତିସଂଘ ମାନବାଧିକାର ପରିଷଦର ୪୩ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ପାକିସ୍ତାନ କହିଥିଲା ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଛି। ଉତ୍ତର ରଖିବା ଅଧିକାର ବଳରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ବିମର୍ଶ ଆର୍ଯ୍ୟନ୍‌ ଉପରୋକ୍ତ ମତ ରଖିଛନ୍ତି। ଭାରତକୁ ନିନ୍ଦିତ କରିବା ଲାଗି ପାକିସ୍ତାନ ସମସ୍ତ ଅନ୍ତର୍ଜାତୀୟ ଫୋରମରେ ଉତ୍ତେଜନାପୂର୍ଣ୍ଣ ବିବୃତି ରଖୁଛି। ଏଭଳି ମନ୍ତବ୍ୟ ରଖି ଅନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରାଯାଇପାରିବ ନାହିଁ ବୋଲି ଆର୍ଯ୍ୟନ୍‌ କହିଛନ୍ତି। ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନର ସମର୍ଥନ ମାଧ୍ୟମରେ ଜମ୍ମୁ-କଶ୍ମୀରର ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଲାଗି ପାକିସ୍ତାନ ଉଦ୍ୟମ ଜାରି ରଖିଛି। ଏହା ସତ୍ତ୍ୱେ ସେଠାରେ ଦ୍ରୁତଗତିରେ ସ୍ବାଭାବିକ ଅବସ୍ଥା ଫେରୁଥିବା ଆର୍ଯ୍ୟନ୍‌ କହିଛନ୍ତି। ପାକିସ୍ତାନକୁ ୧୦ ସୂତ୍ରୀ ପରାମର୍ଶ ତାଲିକା ଦେଇ ଭାରତୀୟ କୂଟନୀତିଜ୍ଞ କହିଛନ୍ତି, ଇସ୍‌ଲାମାବାଦ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ସହ ସେଠାରେ ଥିବା ଆତଙ୍କବାଦୀ ସଂଗଠନଗୁଡିକୁ ଲଗାମ ଦେଉ। ଆତଙ୍କବାଦକୁ ସମର୍ଥନ ବନ୍ଦ କରିବା ଲାଗି ଭାରତ ଆହ୍ବାନ ଦେଇଛି।

Share