Categories: ଜାତୀୟ

ଆତଙ୍କବାଦୀ-ଗ୍ୟାଙ୍ଗ୍‌ଷ୍ଟର ମଧୁଚନ୍ଦ୍ରିକା:୫୦ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୩।୯(ପି.ଟି.):ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ଏବଂ ନିଶାଦ୍ରବ୍ୟ ଚୋରାବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ସୂଚନା ମିଳିବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସୋମବାର ଦିଲ୍ଲୀ ସମେତ ୪ ରାଜ୍ୟର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟାକାରୀ ଗ୍ୟାଙ୍ଗଷ୍ଟର ମଧ୍ୟ ଏହି ଚଢ଼ାଉରେ ସାମିଲ ଅଛନ୍ତି। ନିରାଶ ହୋଇପଡ଼ିଥିବା ଅଧିକାଂଶ ଗ୍ୟାଙ୍ଗ ଲିଡରଙ୍କ ମଧ୍ୟରୁ କେତେଜଣ ଏବଂ ଭାରତ ଓ ବିଦେଶରେ ଥିବା ସେମାନଙ୍କ ସହଯୋଗୀ ଆତଙ୍କ ଓ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ଏନ୍‌ଆଇଏ ଗତ ମାସ ୨୬ରେ ଏକ ମାମଲା ରୁଜୁ କରିଥିଲା। ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର, ନିଶାଦ୍ରବ୍ୟ ଚୋରାବେପାରୀ ଏବଂ ଚୋରାଚାଲାଣକାରୀଙ୍କ ମଧ୍ୟରେ ଚାଲିଥିବା ମିଲିଭଗତକୁ ଭାଙ୍ଗିବା ପାଇଁ ପଞ୍ଜାବ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀରେ ଚଢ଼ାଉ କରାଯାଇଛି। ସୋମବାର ସକାଳେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର, ଲରେନ୍ସ ବିଷ୍ଣୋଇ, ଜଗ୍ଗୁ ଭଗଓ୍ବାନପୁରିଆ, ବରିନ୍ଦର ପ୍ରତାପ ଓରଫ କଳା ରାଣା, କଳା ଜାଠେଦି, ବିକ୍ରମ ବ୍ରାର, ଗୌରବ ପଟ୍ୟାଲ ଓରଫ ଲକି ପଟ୍ୟାଲଙ୍କ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ଏହା ବ୍ୟତୀତ ଗ୍ୟାଙ୍ଗଷ୍ଟର ନୀରଜ ବାଓ୍ବାନା, କୌଶଲ ଚୌଧରୀ, ଟିଲୁ ତାଜପୁରିଆ, ଅମିତ୍‌ ଡାଗର, ଦୀପକ କୁମାର ଓରଫ ଟିନୁ, ସନ୍ଦିପ ଓରଫ ବନ୍ଦାର, ଉମେଶ ଓରଫ କାଲା, ଇର୍ଫାନ ଓରଫ ଚିନୁ ପହଲଓ୍ବାନ, ଅଶିମ ଓରଫ ହାଶିମ ବାବା, ସଚିନ ଭଞ୍ଜ ଏବଂ ସେମାନଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଏନ୍‌ଆଇଏ ଚଢ଼ାଉ କରିଛି। ଚଢ଼ାଉ ବେଳେ ୬ଟି ପିସ୍ତଲ, ଗୋଟିଏ ରିଭଲଭର, ଗୋଟିଏ ଶଟ୍‌ଗନ୍‌ ଏବଂ ଗୁଳିଗୋଳା ଜବତ ହୋଇଛି। ଏଥିସହିତ ଡ୍ରଗ୍ସ, ଆପରାଧିକ ଦସ୍ତାବିଜ, ଡିଜିଟାଲ ଉପକରଣ, ବେନାମୀ ସମ୍ପତ୍ତିର ବିବରଣୀ, ଧମକପୂର୍ଣ୍ଣ ଚିଠି ଆଦି ମଧ୍ୟ ମିଳିଛି।
ଗତ କିଛିଦିନ ମଧ୍ୟରେ ବିଭିନ୍ନ ବ୍ୟବସାୟୀ ତଥା ଡାକ୍ତରଙ୍କ ଭଳି ପେସାଦାରଙ୍କ ନିକଟକୁ ଅପରାଧ ସିଣ୍ଡିକେଟ୍‌ ଏବଂ ଗ୍ୟାଙ୍ଗଷ୍ଟରଙ୍କଠାରୁ ବଟି ପାଇଁ ଫୋନ୍‌ କଲ୍‌ ଆସିବା ଏବଂ କେତେକ ସମ୍ବେଦନଶୀଳ ଅପରାଧ ଘଟଣା ପରେ ଏନ୍‌ଆଇଏ ପକ୍ଷରୁ ଏଭଳି ଚଢ଼ାଉ କରାଯାଇଛି। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ଲାଗି ଗ୍ୟାଙ୍ଗଗୁଡ଼ିକ ଅପରାଧର ପ୍ରଚାରରେ ସାଇବର ସ୍ପେସ୍‌କୁ ବ୍ୟବହାର କରୁଥିବା ଜଣେ ଅଧିକାରୀ କହିଛନ୍ତି।

Share