ଆକାର ପଟେଲ
ମନି ଲଣ୍ଡରିଂ (କଳାଧନକୁ ବୈଧ କରିବା) ଓ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍) ପକ୍ଷରୁ ପାକିସ୍ତାନକୁ ଆଉ ଚାରିମାସ ମହଲତ ଦିଆଯାଇଛି। ଗତ ଜୁନ୍ମାସରେ ଦିଆଯାଇଥିବା ଶେଷ ସମୟସୀମା ଭିତରେ ଏହି ଦେଶ ଏ କ୍ଷେତ୍ରରେ ବିଶେଷ କିଛି ସଫଳତା ପାଇପାରି ନାହିଁ। ୨୭ଟି ବିଷୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥିବାବେଳେ ପାକିସ୍ତାନ ଏ ପର୍ଯ୍ୟନ୍ତ ମାତ୍ର ୫ଟି ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗ୍ରେ ତାଲିକାରେ ଥିବା ଅନ୍ୟ ଦେଶଗୁଡ଼ିକ ମଧ୍ୟରୁ ଶ୍ରୀଲଙ୍କା, ଟ୍ୟୁନିସିଆ ଓ ଇଥିଓପିଆକୁ ବାଦ୍ ଦିଆଯାଇଛି। ଅନ୍ୟ ତିନୋଟି ଦେଶ ଆଇସ୍ଲାଣ୍ଡ, ମଙ୍ଗୋଲିଆ ଓ ଜିମ୍ବାଓ୍ବେ ଗ୍ରେ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ମାତ୍ର ଦୁଇଟି ଦେଶ ଇରାନ ଓ ଉତ୍ତର କୋରିଆ କଳା ତାଲିକାଭୁକ୍ତ ହୋଇଛନ୍ତି। ଏଫ୍ଏଟିଏଫ୍ ମୁଖ୍ୟତଃ କାର୍ଯ୍ୟାନୁଷ୍ଠାନ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ପାକିସ୍ତାନର ଯେଉଁ କ୍ଷମତା ଅଛି ବୋଲି ଦାବି କରିଛି, ତାହା ପାକିସ୍ତାନ ନିଜେ କହିଛି। ଦ୍ୱିତୀୟତଃ ଟଙ୍କା ହସ୍ତାନ୍ତର ସମସ୍ୟା ନିର୍ଦ୍ଦିଷ୍ଟ ଭାବେ ପାକିସ୍ତାନର ସମସ୍ୟା ନୁହେଁ। ପାକିସ୍ତାନର ଅର୍ଥମନ୍ତ୍ରୀ ହମ୍ମଦ ଆଝାର ଏଫ୍ଏଟିଏଫ୍ ଆଗରେ ଦେଶ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଏଫ୍ଏଟିଏଫ୍ ଚାହୁଁଛି ପାକିସ୍ତାନ କ୍ୟାଶ୍ କୋରିୟର ଉପରେ ନିୟନ୍ତ୍ରଣ ରଖୁ ଯାହା ମାଧ୍ୟମରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ କରାଯାଉଛି।
ତେବେ ପ୍ରକୃତ ସମସ୍ୟା ବିଷୟରେ ଆମେ ଜାଣିବା ଦରକାର। ଦକ୍ଷିଣ ଏସିଆରେ ହୀରା ବ୍ୟବସାୟକୁ ଅର୍ଥ ଯୋଗାଣ ସମେତ ବିଭିନ୍ନ ଉଦ୍ଦେଶ୍ୟରେ ସାଧାରଣ ପ୍ରଣାଳୀ ବାହାରେ ଯେଉଁ ନେଟ୍ଓ୍ବାର୍କ ଚାଲିଛି, କ୍ୟାଶ୍ କୋରିୟର ହେଉଛି ତାହାର ଏକ ଅଂଶ। ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ ପାକିସ୍ତାନ ବା ଭାରତ ପକ୍ଷେ ଏ ନେଟ୍ଓ୍ବାର୍କକୁ ବନ୍ଦ କରିବା କଷ୍ଟକର। ପାରମ୍ପରିକ ପଦ୍ଧତିରେ କଳାଟଙ୍କାକୁ ନିୟନ୍ତ୍ରଣ କରିବା ସମ୍ଭବ ନ ହେବାରୁ ୨୦୧୬-୧୭ରେ ବିମୁଦ୍ରୀକରଣ ଭଳି ପଦକ୍ଷେପ ନେଇ ଭାରତ ନିଜର ଅର୍ଥନୀତିକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ତା’ ସତ୍ତ୍ୱେ ଭାରତରେ କଳାଟଙ୍କା ଧଳା ହେବାର ପ୍ରକ୍ରିୟା ବନ୍ଦ ହୋଇ ନାହିଁ। ପାକିସ୍ତାନ ପାଇଁ ଦ୍ୱିତୀୟ ସମସ୍ୟା ହେଉଛି ଏହା ଧାର୍ମିକ, ସମାଜସେବା, ଗୋଷ୍ଠୀସେବା ଆଦି ସହ ଜଡ଼ିତ ସଂଗଠନଗୁଡ଼ିକୁ ହିଂସାକାଣ୍ଡ ଘଟାଉଥିବା ସଂଗଠନଠାରୁ ଅଲଗା କରି ନ ପାରିବା। ପାକିସ୍ତାନରେ ଲଶ୍କର-ଇ-ତୋଇବା ଓ ଜୈଶ୍-ଇ-ମହମ୍ମଦ ପରି ଆତଙ୍କବାଦୀ ସଂଗଠନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ହୋଇ ବ୍ୟାପକ ଗୋଷ୍ଠୀସେବା ପ୍ରଦାନ କରି ଆସୁଛନ୍ତି। ଯେତେବେଳେ ବନ୍ୟା କି ଭୂମିକମ୍ପ ହେଉଛି ଏହି ସଂଗଠନଗୁଡ଼ିକ ବହୁସଂଖ୍ୟାରେ ସ୍ବେଚ୍ଛାସେବୀ ଓ ରିଲିଫ ସାମଗ୍ରୀ ପଠାଇ ପ୍ରଭାବିତ ଅଞ୍ଚଳରେ ସେବା ଯୋଗାଉଛନ୍ତି। ଏହି କାରଣରୁ ସହରାଞ୍ଚଳରେ ସେମାନଙ୍କର ବ୍ୟାପକ ଉପସ୍ଥିତି ରହିବା ସହ ସେବା ନାମରେ ସେମାନେ ବିପୁଳ ପାଣ୍ଠି ମଧ୍ୟ ଆଦାୟ କରୁଛନ୍ତି। ପୁଣି ଏହି କାରଣରୁ ରାଜନୀତିରେ ମଧ୍ୟ ସେମାନଙ୍କର ଯୋଗଦାନ ରହୁଛି ଏବଂ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବା, ତାଙ୍କ ପାଇଁ ପ୍ରଚାର କରି ଜିତାଇବା ଓ ଆଇନ ତିଆରି କରିବାରେ ସେମାନଙ୍କର ଭୂମିକା ରହୁଛି। ଅବଶ୍ୟ ଏହା ବିପଜ୍ଜନକ ଏବଂ ପାକିସ୍ତାନ ତା’ ଉପରେ ରୋକ୍ ଲଗାଇବା ଉଚିତ କିନ୍ତୁ କଳାଟଙ୍କାକୁ ରୋକିବା ପରି ଏହାକୁ ରୋକିବା ମଧ୍ୟ ଅତ୍ୟନ୍ତ କଷ୍ଟକର। ୯/୧୧ ଆକ୍ରମଣ ଏବଂ ଭାରତୀୟ ପାର୍ଲାମେଣ୍ଟ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ପରଭେଜ ମୁଶରଫ ଦେଓବନ୍ଦୀ ଓ ସଲାଫି ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଭାରତର ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଓ ତଜ୍ଜନିତ ହିଂସା ଯୋଗୁ ମୃତ୍ୟୁସଂଖ୍ୟା କମିବାରେ ଲାଗିଥିଲା। ୨୦୦୧ରେ ୪୦୦୦ ମୃତ୍ୟୁ ଘଟିଥିବାବେଳେ ୨୦୦୨ରେ ଏହା ୩୦୦୦କୁ କମିଲା। ତା’ପରେ ୨୦୦୩ରେ ୨୦୦୦, ୨୦୦୪ରେ ୧୦୦୦, ୨୦୦୮ରେ ୫୦୦ ଓ ୨୦୦୯ରେ ୩୦୦ ମୃତ୍ୟୁ ଘଟିଛି। ଅର୍ଥାତ୍ ମନମୋହନ ସିଂଙ୍କ ସମୟରେ ମୃତ୍ୟୁସଂଖ୍ୟା କମିଥିବା ବେଳେ ଏବେ ତାହା ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ୪୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଚଳିତବର୍ଷ ଆହୁରି ଅଧିକ ହୋଇପାରେ। ଭାରତ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ବାଡ଼ ଦେଇଛି ଏବଂ ପୋଲିସ ଭାବୁଛି ଯେ ଏହା ଭିତରଦେଇ ଅନୁପ୍ରବେଶ ବା ବହିର୍ଗମନ ଅତ୍ୟନ୍ତ କଠିନ। ଅର୍ଥାତ୍ ଏଥିରେ ପାକିସ୍ତାନର ଭୂମିକା ସୀମିତ ଏବଂ ସ୍ଥାନୀୟ ଯୁବକମାନେ ବାଡ଼ ଡେଇଁ ସେପଟକୁ ଯାଇ ତାଲିମ ନେଇ ପାରିବେ ନାହିଁ। ତେଣୁ କଶ୍ମୀରୀ ଯୁବକମାନେ ହିଁ ଦେଶ ବିରୋଧରେ ଲଢ଼ିବାକୁ ଯାଇ ଭାରତୀୟ ସେନାକୁ ଅସ୍ତବ୍ୟସ୍ତ କରିପକାଉଛନ୍ତି।
ପାକିସ୍ତାନ ଯେଉଁ ସଂଗଠନଗୁଡ଼ିକୁ ସାହାଯ୍ୟ ଯୋଗାଇ ଦେଉଥିଲା ସେଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବେଳକୁ ଅସନ୍ତୋଷ ଦେଖାଦେଲା। ତେଣୁ ଯେଉଁ ହିଂସା ସେମାନେ ପଡ଼ୋଶୀ ଦେଶରେ ଭିଆଉଥିଲେ ତାହା ସେମାନେ ନିଜ ଦେଶରେ ଭିଆଇଲେ। ୨୦୦୦ ମସିହାରେ ଆତଙ୍କବାଦୀ ହିଂସାରେ ପାକିସ୍ତାନରେ ୧୬୬ ଜଣ ମରିଥିଲେ। ମୁଶରଫ ଯେତେବେଳେ ଉକ୍ତ ସଂଗଠନଗୁଡ଼ିକୁ ବନ୍ଦ କରିବାକୁ ଚେଷ୍ଟା କଲେ, ସେମାନେ ନିଜ ଦେଶରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି କଲେ। ତେଣୁ ୨୦୦୪ରେ ପାକିସ୍ତାନରେ ଏଭଳି ହିଂସାକାଣ୍ଡରେ ୯୦୦ ମୃତ୍ୟୁ ଘଟିଥିବା ବେଳେ ୨୦୦୬ରେ ତାହା ୧୪୦୦କୁ ବୃଦ୍ଧି ପାଇଲା। ସେହିପରି ୨୦୦୭ରେ ୩୦୦୦ ଓ ୨୦୦୮ରେ ୬୦୦୦ ଲୋକଙ୍କର ଆତଙ୍କବାଦୀ ହିଂସାକାଣ୍ଡରେ ମୃତ୍ୟ ଘଟିଲା। ମୁଶରଫ କ୍ଷମତାରୁ ବିଦା ହେବାର ବର୍ଷକ ପରେ ୨୦୦୯ରେ ଏହି ମୃତ୍ୟୁସଂଖ୍ୟା ସର୍ବାଧିକ ୧୧୦୦୦ ଛୁଇଁଲା। ତା’ପରେ ଏହି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୧୦ରେ ୭୦୦୦, ୨୦୧୧ରେ ୬୦୦୦, ୨୦୧୩ରେ ୫୦୦୦, ୨୦୧୫ରେ ୩୦୦୦, ୨୦୧୬ରେ ୧୦୦୦ ଏବଂ ଗତବର୍ଷ ମାତ୍ର ୬୦୦ ମୃତ୍ୟୁ ଘଟିଛି। ୨୦୧୯ ହେବ ଦୁଇ ଦଶନ୍ଧି ଭିତରେ ପାକିସ୍ତାନର ସବୁଠାରୁ ଶାନ୍ତିପୂର୍ଣ୍ଣ ବର୍ଷ। ଭାରତ ସରକାର କହିଆସୁଛନ୍ତି ଯେ ସମସ୍ତ ଆତଙ୍କବାଦ ହେଉଛି ପାକିସ୍ତାନର ଭିଆଣ। ଆମେ ଯଦି ବିଶ୍ୱାସ କରିବା ଯେ ହିଂସା ବୃଦ୍ଧି ପାଇଁ ପାକିସ୍ତାନ ଦାୟୀ, ତେବେ ଏହା ମଧ୍ୟ ବିଶ୍ୱାସ କରିବା ଉଚିତ ଯେ ହିଂସା କମିବା ପାଇଁ ମଧ୍ୟ ପାକିସ୍ତାନ ଦାୟୀ। ଅବଶ୍ୟ କଶ୍ମୀରରେ ଏବେ ଯେଉଁ ହିଂସା ଘଟୁଛି ତାହା ପ୍ରାୟ ସ୍ଥାନୀୟ। ଏହା ଭାରତୀୟ ନୀତିର ଫଳ। ତେବେ ପାକିସ୍ତାନ ଅନେକ ଦଶନ୍ଧି ଧରି କରିଆସିଥିବା ଭୁଲ ପାଇଁ ଆର୍ଥିକ କଟକଣାର ସମ୍ମୁଖୀନ ହୋଇ କଷ୍ଟ ପାଇବା ଦେଖି ଆମେ ଖୁସି ହୋଇପାରୁ କିନ୍ତୁ ଏହାଦ୍ୱାରା ଆମର ଆତଙ୍କବାଦ ଓ ହିଂସାଜନିତ ସମସ୍ୟାର ସମାଧାନ ହେବ ନାହିଁ।
Email: aakar.patel@gmail.com