Categories: ଜାତୀୟ

ଆତଙ୍କବାଦ ନିରୋଧୀ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୫ା୭(ପି.ଟି.): ବିରୋଧୀ ଦଳ ସଦସ୍ୟମାନଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ ମଧ୍ୟରେ ଆତଙ୍କବାଦ ନିରୋଧୀ (ସଂଶୋଧନ) ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ଆତଙ୍କବାଦ ସହ ସମ୍ପୃକ୍ତି ସନ୍ଦେହରେ ଯେକୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ। ଆତଙ୍କବାଦ ନିରୋଧୀ ଆଇନରେ ସଂଶୋଧନକୁ ସମର୍ଥନ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଥିଲେ, ଆତଙ୍କବାଦୀଙ୍କଠାରୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡିକୁ ଗୋଟିଏ ପାଦ ଆଗରେ ରଖିବା ଜରୁରୀ।
ଲୋକ ସଭାରେ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ସଂଶୋଧନ ସମ୍ପର୍କିତ ଆଲୋଚନାରେ ଭାଗନେଇ ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଏଭଳି ଆଇନର ଆବଶ୍ୟକତା ରହିଛି। ତେବେ ଉକ୍ତ ଆଇନର ଅପବ୍ୟବହାର କରାଯିବ ନାହିଁ ବୋଲି ସେ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ। ବିଲ୍‌ ଉପରେ ଭୋଟଗ୍ରହଣ ପୂର୍ବରୁ କଂଗ୍ରେସ ଓ ଟିଏମ୍‌ସି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଏହା ଅତ୍ୟନ୍ତ ନିଷ୍ଠୁର ଏବଂ ବିପଜ୍ଜନକ ଆଇନ ବୋଲି ବିରୋଧୀ କହିଛନ୍ତି। ଫଳରେ ବିଲ୍‌ ସପକ୍ଷରେ ୨୮୭ ଭୋଟ ପଡିଥିବାବେଳେ ବିପକ୍ଷରେ ମାତ୍ର ୮ଟି ଭୋଟ ଯାଇଥିଲା। ଶାହ କହିଥିଲେ, ଆତଙ୍କବାଦ ସଙ୍ଗଠନରେ ନୁହେଁ ଲୋକମାନଙ୍କ ଚିନ୍ତାଧାରାରେ ରହିଛି। ସେଥିପାଇଁ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବା ବ୍ୟବସ୍ଥାର ଆବଶ୍ୟକତା ରହିଛି।
ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୈତ୍ରଙ୍କ ସମେତ ଅଧିକାଂଶ ବିରୋଧୀ ଦଳ ନେତା ଆଇନରେ ସଂଶୋଧନକୁ ବିରୋଧ କରିବା ସହ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବାରେ ଏହାର ଅପବ୍ୟବହାର କରାଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେଲେ ଦେଶର ସଂଘୀୟ ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ମହୁଆ କହିବା ସହ ଏହାର ପ୍ରତ୍ୟାହାର ଦାବି କରିଥିଲେ।

Share