Categories: ଜାତୀୟ

ଆତଙ୍କବାଦ ବିରୋଧରେ ମିଳିତଭାବେ ଲଢ଼ିବେ ଭାରତ-ଶ୍ରୀଲଙ୍କା: ମୋଦି

ନୂଆଦିଲ୍ଲୀ,୮।୨: ଆତଙ୍କବାଦ ଭାରତ ଏବଂ ଶ୍ରୀଲଙ୍କାର ମୁଖ୍ୟ ସମସ୍ୟା। ଏହା ବିରୋଧରେ ଭାରତ ଏବଂ ଶ୍ରୀଲଙ୍କା ମିଳିତଭାବେ ଲଢ଼େଇ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ସହିତ ହାଇଦ୍ରାବାଦ୍‌ ହାଉସ୍‌ଠାରେ ଭାରତ ସରକାରଙ୍କ ପକ୍ଷରୁ ଏକ ପ୍ରତିନିଧିସ୍ତରୀୟ ଆଲୋଚନା ହେବା ପରେ ଆୟୋଜିତ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ମୋଦି ଏଭଳି କହିଛନ୍ତି। ପ୍ରତିନିଧିସ୍ତରୀୟ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ପାଇଁ ବିଭିନ୍ନ ପରିଯୋଜନା ଉପରେ ଚର୍ଚ୍ଚା ହୋଇଥିବା ମୋଦି ସୂଚନା ଦେଇଛନ୍ତି। ଦକ୍ଷିଣ ଏସିଆ ପାଇଁ ଆତଙ୍କବାଦ ସବୁଠୁ ବଡ଼ ବିପଦ ହୋଇଥିବାରୁ ଏଥିପାଇଁ ଏକାଠି ଲଢ଼ିବାକୁ ହେବ ବୋଲି ଉଭୟ ନେତା କହିଛନ୍ତି। ଗତବର୍ଷ ଏପ୍ରିଲରେ ହୋଇଥିତ୍ବା ଇଷ୍ଟର ଆକ୍ରମଣ କେବଳ ଶ୍ରୀଲଙ୍କା ନୁହେଁ ସମଗ୍ର ମାନବଜାତି ଉପରେ ଆକ୍ରମଣ ଥିଲା। ଶ୍ରୀଲଙ୍କାର ପୋଲିସ ଅଧିକାରୀମାନଙ୍କୁ ଭାରତ ଆତଙ୍କବାଦ ନିରୋଧୀ ଲଢ଼େଇ ପାଇଁ ପ୍ରଶିକ୍ଷଣ ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ସେହିପରି ଶ୍ରୀଲଙ୍କାରେ ଥିବା ତାମିଲ ସମ୍ପ୍ରଦାୟର ସବୁ ଆଶା ଆକାଂକ୍ଷା ରାଜପାକ୍‌ସେ ସରକାର ପୂରଣ କରିବା ନେଇ ଭାରତ ଆଶାବାଦୀ। କେବଳ ଶ୍ରୀଲଙ୍କା ନୁହେଁ ସମଗ୍ର ଭାରତ ମହାସାଗର ଅଞ୍ଚଳରେ ସ୍ଥିରତା, ସୁରକ୍ଷା ଓ ବିକାଶ ଭାରତ ଚାହେଁ ବୋଲି ଆଲୋଚନା ଅବସରରେ ମୋଦି କହିଥିଲେ। ଶ୍ରୀଲଙ୍କା ବିକାଶରେ ଭାରତ ବିଶ୍ୱସ୍ତ ସହଯୋଗୀ ରହିଆସିଛି ଓ ରହିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ।

Share