Categories: ଜାତୀୟ

ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୩ା୧୧(ପି.ଟି.): ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିରୋଧରେ ମିଳିତ ଲଢ଼େଇ ପାଇଁ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ବାନ ଦେଇଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ବର୍ତ୍ତମାନର ସମସ୍ତ ଅନ୍ତର୍ଜାତୀୟ ଆଇନକୁ ସୁଦୃଢ଼ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ବୋଲି ସଦସ୍ୟ ରାଷ୍ଟ୍ରର ସରକାର ମୁଖ୍ୟମାନଙ୍କ ଅଷ୍ଟାଦଶ ସମ୍ମିଳନୀରେ ଯୋଗଦେଇ ରାଜନାଥ କହିଛନ୍ତି। ଏଥିସହିତ ଦାରିଦ୍ର୍ୟ, ଅନଗ୍ରସରତା, ଅସମାନତା ଓ ମହାମାରି ଆଦି ଚ୍ୟାଲେଞ୍ଜ ବିରୋଧରେ ଏକାଠି କାମ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉଜ୍‌ବେକିସ୍ତାନର ତାସ୍‌କେଣ୍ଟଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ରାଜନାଥ ଯୋଗଦେଇଥିଲେ। ଆତଙ୍କବାଦ ଆମ ସମାଜରେ ଅସ୍ଥିରତା ସୃଷ୍ଟି କରିବା ସହ ବିକାଶ ପଥରେ ବାଧକ ହୋଇଛି। ଏହା ବିରୋଧରେ ଏସ୍‌ସିଓ ରାଷ୍ଟ୍ରମାନେ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ।

Share