ଆତଙ୍କ ଖେଳାଇଛନ୍ତି କୁଲଡ଼ିହା ହାତୀ: ଜଣଙ୍କୁ କଚାଡ଼ି ମାରିଲେ

ନୀଳଗିରି/ସଜନାଗଡ଼, ୨୯।୪(ଡି.ଏନ.ଏ.)-କିଛିମାସ ହେଲା ନୀଳଗିରି ବ୍ଲକ ଅଧୀନ କୁଲଡ଼ିହା ଅଭୟାରଣ୍ୟର ହାତୀପଲ ବନାଞ୍ଚଳ ନିକଟସ୍ଥ ଗ୍ରାମରେ ପଶି ବହୁ ଘର, ବିଭିନ୍ନ ପ୍ରକାର ଫସଲ ନଷ୍ଟ କରିଆସୁଛନ୍ତି। ଏଥିପ୍ରତି ବନବିଭାଗର ଚେତା ପଶୁନି। ରବିବାର ଏକ ହାତୀ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରି ଦେଇଥିବା ଜଣାପଡ଼ିଛି।

ବରହମପୁର ଥାନା ଜାମୁନା ଗ୍ରାମର ରାମଚନ୍ଦ୍ର ସାମମଲ୍‌ (୫୫) ପୂର୍ବାହ୍ନରେ ଜାଳେଣି କାଠ ସଂଗ୍ରହ ସହିତ ଚାରକୋଳି ତୋଳିବା ପାଇଁ କୁଲଡ଼ିହା ଅଭୟାରଣ୍ୟର କଇମହୁଡ଼ି ଜଙ୍ଗଲକୁ ଯାଇଥିଲେ। ସେଠାରେ ଏକ ହାତୀ ହଠାତ୍‌ ଆକ୍ରମଣ କରି ତାଙ୍କୁ କଚାଡ଼ି ଗୋଡରେ ଦଳି ଚକଟି ମାରି ଦେଇଛି। ରାମଚନ୍ଦ୍ରଙ୍କ ସହିତ ଯାଇଥିବା ଅନ୍ୟ ୨ଜଣ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇଆସି ବନବିଭାଗ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବରପାଇ ଅପରାହ୍ନରେ ବନକ୍ଷେତ୍ରାଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ସମେତ ବରହମପୁର ଥାନା ଅଧିକାରୀ ଅଜୟ ମୁର୍ମୁ ଟିମ୍‌ ସହ ପହଞ୍ଚିଥିଲେ। ପୋଲିସ୍‌ ପକ୍ଷରୁ ମୃତଦେହକୁ ତନଖି କରାଯାଇ ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡ଼ିକାଲ ଅଣାଯାଇଛି। ତେବେ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।