ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଚେଷ୍ଟା କର

ଅମରପାଲି, ୨୪।୯ (ଡି.ଏନ.ଏ.): ରାଜ୍ୟ ସରକାରଙ୍କ ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଜିଲା ଶିଳ୍ପକେନ୍ଦ୍ର ସୁବର୍ଣ୍ଣପୁର ଆନୁକୂଲ୍ୟରେ ବୀରମହାରାଜପୁର ମହିଳା ମହାବିଦ୍ୟାଳୟରେ ଏକ ଶିଳ୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ନାଏକ ମୁଖ୍ୟଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ ନିଜ ବକ୍ତବ୍ୟରେ ଛାତ୍ରୀଛାତ୍ରଙ୍କୁ ଚାକିରୀ ପଛରେ ନ ଦୌଡି ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। କଠିନ ପରିଶ୍ରମ କରି ଆତ୍ମନିର୍ଭରଶୀଳ ହେଲେ ଆତ୍ମସନ୍ତୋଷ ମିଳିଥାଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସ୍ବାଗତିକା ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ, ବୀରମହାରାଜପୁର ଆତ୍ମା ଅଧିକାରୀ ମୀନକେତନ ମହାକୁର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ନିଜ ନିଜ ବିଭାଗ ତରଫରୁ ଉଦ୍ୟୋଗୀ ହେବା ପାଇଁ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଗୀତାଞ୍ଜଳି ପ୍ରଧାନ ଛାତ୍ରୀମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ବିଭିନ୍ନ ଉପାୟ ବତାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜିଲାଶିଳ୍ପ କେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ ଦେବାଶିଷ ମିଶ୍ର ପରିଚାଳନା କରିବା ସଙ୍ଗେ ସଙ୍ଗେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାୟ ୧୪୦ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ।