‘ଆତ୍ମବିଶ୍ୱାସ ଥିଲେ ସଫଳତା ମିଳେ’

ଆରଡ଼ି,୧୯।୩(ଡି.ଏନ.ଏ.)-କଥାରେ ଅଛି ‘ଚାଷ ଅଛି ଯାହାର, କେତେ ସୁଖ ତାହାର’। ପିଲାଦିନୁ ପଢ଼ିଥିବା ଏହି ଉକ୍ତିକୁ ପ୍ରମାଣିତ କରିବାକୁ ସେ ସ୍ବପ୍ନ ଦେଖିଥିଲେ। ବାଧ୍ୟବାଧ୍ୟକତାରେ ଯୁକ୍ତ ୨ ପର୍ଯ୍ୟନ୍ତ ଚାଲିଲା ପାଠପଢ଼ା। ଏହାପରଠାରୁ ଆଉ ପାଠରେ ତାଙ୍କର ମନ ଲାଗିଲାନି। ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ସେ ପ୍ରଥମେ ତାଙ୍କ ବାପାଙ୍କ ଟାଙ୍ଗରା ଭୂଇଁକୁ ଶସ୍ୟଶ୍ୟାମଳା କରାଇବାକୁ ମନ ବଳାଇଥିଲେ। ଆଉ ୫ ବର୍ଷ ଭିତରେ ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଚାଷକୁ ଆଦରି ଅକ୍ଳାନ୍ତ ପରିଶ୍ରମ କରି ସଫଳତାର ସ୍ବାଦ ଚାଖିଥିବା ଏହି ଚାଷୀ ହେଲେ ରଞ୍ଜନ ବିଶ୍ୱାଳ(୩୪)। ଘର ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହି ପଞ୍ଚାୟତ ଅଧୀନ କୁଳସାହି ଗଁାରେ। ଏବେ ଶିକ୍ଷିତ ଯୁବକମାନେ ଚାଷ ପ୍ରତି ବିତସ୍ଫୃହ ହେଉଥିବାବେଳେ ପରିବା ଚାଷ କରି ସ୍ବାବଲମ୍ବୀ ହୋଇଥିବା ରଞ୍ଜନ ସେମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପରିଶ୍ରମ, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ଯେ କେହି ସମାଜରେ ପ୍ରତିଷ୍ଠା ଅର୍ଜନ କରିପାରିବ ବୋଲି ରଞ୍ଜନ କହିଛନ୍ତି।
ମା’, ବାପା, ସ୍ତ୍ରୀ, ପୁଅ, ଝିଅ ଓ ୪ ଭାଇଙ୍କୁ ନେଇ ରଞ୍ଜନଙ୍କର ଯୌଥ ପରିବାର। ପରିବାରର ସମସ୍ତ ସଦସ୍ୟ ବର୍ତ୍ତମାନ ତାଙ୍କ ପ୍ରେରଣାର ଉତ୍ସ। ଏହାକୁ ପାଥେୟ କରି ସେ ଆଗକୁ ମାଡ଼ି ଚାଲିଛନ୍ତି। ଏବେ ସେ ଜଣେ ସଫଳ ପରିବା ଚାଷୀ। ପିତାଙ୍କ ୨ ଏକରରୁ ଅଧିକ ଜମିରେ ସେ ବର୍ଷରେ ୩ ଥର ପରିବା ଫଳାଉଛନ୍ତି। ବର୍ଷାଦିନେ ଭେଣ୍ଡି, ଜହ୍ନି, ଟମାଟୋ, କଖାରୁ, ସାରୁ, ଶୀତଦିନେ ଆଳୁ, ବାଇଗଣ, ଫୁଲକୋବି, ବନ୍ଧାକୋବି, ବିମ୍‌ସ, କଞ୍ଚାଲଙ୍କା, ପୋଟଳ ଏବଂ ଖରାଦିନେ ଝୁଡଙ୍ଗ, କାକୁଡି, ତରଭୁଜ, ପୋଇ, କଲରା ଆଦି ପରିବା ଚାଷ କରନ୍ତି। ଏହି ପରିବା ଚାଷ କରି ସେ କୋଠାଘର କରିପାରିଛନ୍ତି। ସାନଭାଇକୁ ପାଠ ପଢ଼ାଇ ଚାଟାର୍ଡ ଆକାଉଣ୍ଟାଣ୍ଟ କରାଇବାରେ ସକ୍ଷମ ହୋଇଛନ୍ତି। ଏଥିସହିତ ବଡ଼ଭାଇଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ସେ ସହାୟତା କରିଛନ୍ତି। ସେ ଚାଷ କରୁଥିବା ପରିବା କିଣି ନେବା ପାଇଁ ବେପାରୀମାନେ ଆସି ତାଙ୍କ ଦୁଆରେ ପହଞ୍ଚି ଯାଆନ୍ତି। କିଏ ତାଙ୍କୁ ଭାଇ ଡାକନ୍ତି ତ ଆଉ କିଏ ବାବୁ। ଏମିତି ସମସ୍ତଙ୍କ ସହ ସମ୍ପର୍କର ବନ୍ଧନରେ ବାନ୍ଧି ହୋଇଛନ୍ତି ରଞ୍ଜନ। ବିନା ସରକାରୀ ପ୍ରୋତ୍ସାହନରେ ଏକ ମଫସଲ ଅଞ୍ଚଳରେ ରଞ୍ଜନ ପରିବା ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।