ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ତୁଳସୀ

ଜୟପୁର,୨୮ା୩(ନି.ପ୍ର.): ଆନ୍ଧ୍ର-ଓଡ଼ିଶା ବର୍ଡର୍‌ ସ୍ପେଶିଆଲ୍‌ ଜୋନାଲ୍‌ କମିଟିର ମହିଳା ମାଓବାଦୀ ତୁଳସୀ ଉଲ୍ଲାକା ଶନିବାର କୋରାପୁଟ ଏସ୍‌ପି ମୁକେଶ୍‌ ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ କୋରାପୁଟ ଜିଲା ନାରାୟଣପାଟଣା ଏରିଆ କମିଟି ମେମ୍ବର ଥିଲେ। ତୁଳସୀଙ୍କ ଘର ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନାପୁଟ ଗ୍ରାମରେ। ତାଙ୍କ ନାମରେ ଗୁଳି ବିନିମୟ, ପୋଲିସ ଓ ସାଧାରଣ ଲୋକକୁ ହତ୍ୟା, ରାସ୍ତା ଅବରୋଧ ଓ ନିଆଁ ଲଗାଇବା ଭଳି ୨୦ ସଙ୍ଗିନ ମାମଲା ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି । ତାଙ୍କ ମୁଣ୍ଡ ପାଇଁ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ ପରେ ତୁଳସୀ କହିଛନ୍ତି, ହିଂସା, ବୈଷମ୍ୟ ଓ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ହିଁ ମାଓବାଦୀଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସଙ୍ଗଠନ ମୁଖ୍ୟ ଲକ୍ଷ୍ୟରୁ ଓହରି ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଏପରିକି ଆନ୍ଧ୍ର ଏବଂ ଛତିଶଗଡ଼ କ୍ୟାଡରଙ୍କ ଓଡ଼ିଶା କ୍ୟାଡର୍‌ ପ୍ରତି ନୀଚ ମନୋଭାବ ସଙ୍ଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ବାଧ୍ୟ କରିଛି ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାରେ ତୁଳସୀଙ୍କୁ ଥଇଥାନ କରାଯିବ ବୋଲି ଏସ୍‌ପି ଭାମୋ ସୂଚନା ଦେଇଛନ୍ତି ।

Share