ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗୁରୁବାର ସେ ବ୍ରହ୍ମପୁରରେ ବିଧାୟକ ଓ ଏମ୍‌ପିଙ୍କ ପାଇଁ ରହିଥିବା ଅତିରିକ୍ତ ଜିଲାଜଜ୍‌-୩ଙ୍କ ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ବାହିନୀପତିଙ୍କ ନାମରେ ପୂର୍ବରୁ କୋର୍ଟ ପକ୍ଷରୁ ଜାରି ଜାମିନବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ପ୍ରକାରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଜାମିନର ଶୁଣାଣି ହୋଇଥିଲା। ଜଜ୍‌ ରାଜ କୁମାର ଦାଶ ଏହି ମାମଲାର ବିଚାର କରି ବାହିନୀପତିଙ୍କୁ ୫୦ ହଜାର ଟଙ୍କାର ୨ଟି ମୁଚାଲିକା ଓ ୧୦ ହଜାର ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେବା ସହ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।
୨୦୧୬ ମାର୍ଚ୍ଚ ୧୦ ତାରିଖରେ ବୋରିଗୁମ୍ମା ଥାନା ଅନ୍ତର୍ଗତ ପୁରୁଣା ବୋରିଗୁମ୍ମା ମଣ୍ଡି ପଡିଆଠାରେ ବାହିନୀପତିଙ୍କ ନେତୃତ୍ୱରେ ଅଞ୍ଚଳବାସୀଙ୍କୁ ନେଇ ଏକ ସଭା ହୋଇଥିଲା । ଅଞ୍ଚଳରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ଦେଶୀ ମଦଭାଟି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା ା ଏହାପରେ ଶତାଧିକ ଲୋକ ସେଠାରେ ଥିବା ଏକ ଦେଶୀ ମଦଭାଟିକୁ ଯାଇ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ନଷ୍ଟ କରିବା ସହ ଭାଟିରେ ନିଆଁ ଲଗାଇ ଦେଇଥିଲେ । ଉକ୍ତ ଭାଟିରୁ ୭୫ ହଜାର ଟଙ୍କା ମଧ୍ୟ ଲୁଟ କରି ନେଇ ଯାଇଥିଲେ ବୋଲି ଭାଟି କର୍ମଚାରୀ ଅନିଲ କୁମାର ଗୁପ୍ତା ଜୟପୁର ବିଧାୟକଙ୍କ ସମେତ ୨୪ ଜଣଙ୍କ ନାଁରେ ବୋରିଗୁମ୍ମା ଥାନାରେ ଅଭିଯାଗ କରିଥିଲେ। ପୋଲିସ ନଂ. ୩୪/୧୬ରେ ଏକ ମାମଲା ରୁଜୁ କରିଥିଲା। ମାମଲାର ବିଚାର ପୂର୍ବରୁ ଜୟପୁର କୋର୍ଟରେ ଚାଲୁଥିଲା । ବ୍ରହ୍ମପୁରରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ ହେବା ପରେ ମାମଲା ବ୍ରହ୍ମପୁରସ୍ଥିତ ଏଡିଜେ-୩ ଅଦାଲତଙ୍କୁ ସ୍ଥାନାନ୍ତର ହୋଇଥିଲା। ବିଚାର ଚାଲୁଥିବା ବେଳେ କୋର୍ଟରେ ହାଜର ହେବାକୁ ଅଭିଯୁକ୍ତମାନଙ୍କୁ ସମନ ଜାରି ହୋଇଥିଲା। ବାରମ୍ବାର ସମନ ସତ୍ତ୍ବେ ହାଜର ନ ହେବାରୁ ଅଦାଲତ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅନିଲ କୁମାର ସାହୁ ଓ ଅତିରିକ୍ତ ପିପି ବିକ୍ରମ କୁଣ୍ଡୁ ଓ ମୁଦାଲାଙ୍କ ପକ୍ଷରୁ ଦୀପକ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।