ଆତ୍ମହତ୍ୟା ପୂର୍ବରୁ ଭିଡିଓ ଶୁଟିଂ କଲେ ଯୁବକ, ପ୍ରେମିକାଙ୍କ ପ୍ରତାରଣା ସହି ନ ପାରି ଏଭଳି କରିଥିବା କହିଲେ

କଟକ ଅଫିସ,୧୧।୧: ପ୍ରେମିକାଙ୍କ ପ୍ରତାରଣାକୁ ନେଇ ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଏପରିକି ଆତ୍ମହତ୍ୟା କରିବା ପୂର୍ବରୁ ସେ କାରଣ ଦର୍ଶାଇ ଏକ ଭିଡିଓ ଶୁଟିଂ କରିଛନ୍ତି। ତାଳଦଣ୍ଡା କେନାଲ ମାତୃଭବନ ନିକଟ ରେଳଧାରଣାରୁ ଜିଆର୍‌ପି ପୋଲିସ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଜବତ କରାଯାଇଛି। ମୃତକ ହେଲେ ପୁରୁଣା ରାଉସାପାଟଣାର ନିମାଇଁ ଚରଣ ସ୍ବାଇଁଙ୍କ ପୁଅ ମନୋଜ ସ୍ବାଇଁ(୨୫)।

ମୃତଦେହ ନିକଟରୁ ମିଳିଥିବା ମୋବାଇଲ୍‌ରେ ମୃତ୍ୟୁ ପୂର୍ବର ଭିଡିଓ ରହିଛି। ପ୍ରେମିକା ଧୋକା ଦେବାରୁ ଆତ୍ମହତ୍ୟା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନ ଥିଲା ବୋଲି ସମ୍ପୃକ୍ତ ଭିଡିଓରେ ଯୁବକ ଜଣଙ୍କ କହିଛନ୍ତି। ଏପରିକି ସୁଇସାଇଡ୍‌ ନୋଟ୍‌ରେ ସେ ନିଜ ମୋବାଇଲ୍‌ର ପାସ୍‌ଓ୍ବାର୍ଡ ସହ ଯୁବତୀଙ୍କ ବିଷୟରେ ସମସ୍ତ ତଥ୍ୟ ଦେଇଛନ୍ତି। ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ଚାହୁଁଥିବା କହିଛନ୍ତି। ଅପରପକ୍ଷେ ସେ ଶୁକ୍ରବାର ରାତିରୁ ଟ୍ରାକ୍‌ରେ ବୁଲୁଥିଲେ। ସେମାନେ ଖୋଜାଖୋଜି କରିଥିଲେ ହେଁ ରାତି ହୋଇ ଯାଇଥିବାରୁ ତାଙ୍କୁ ପାଇ ନ ଥିବା ସାଙ୍ଗମାନେ କହିଛନ୍ତି।

Share