ଆଦର୍ଶ ବିଦ୍ୟାଳୟରେ ସମସ୍ୟା:ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ଅଭିଭାବକ ସଂଘ

ଅନୁଗୋଳ ଅଫିସ, ୬।୮

ଅନୁଗୋଳ ସହର ଉପକଣ୍ଠ ଖଣ୍ଡହତାରେ ଥିବା ଆଦର୍ଶ ବିଦ୍ୟାଳୟ ସମସ୍ୟା ନେଇ ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି ଅଭିଭାବକ ସଂଘ। ୨୦୧୮-୧୯ ଶିକ୍ଷା ବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ଅଦ୍ୟାବଧି ମୌଳିକ ସୁବିଧା ମିଳୁନାହିଁ। ଏପରି କି ବିପର୍ଯ୍ୟସ୍ତ ଭିତ୍ତିଭୂମି ସାଙ୍ଗକୁ ଶୈକ୍ଷିକ ବାତାବରଣ ଏକ ରକମ ଭୁଶୁଡ଼ି ପଡ଼ିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗ ଓ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ସଂଘ ପକ୍ଷରୁ ଦର୍ଶାଯାଇଛି।
ରାଜ୍ୟ ସରକାର ଉତ୍ତମ ଶିକ୍ଷାଦାନ ପାଇଁ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି। ଅନ୍ୟ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଭଳି ଏଠାରେ ବି ଛାତ୍ରୀଛାତ୍ରଙ୍କୁ ଇଂଲିଶରେ ଶିକ୍ଷାଦାନ କରାଯିବ। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ଇଂଲିଶ ଓ ହିନ୍ଦୀ ବିଷୟରେ ଶିକ୍ଷକ ନ ଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ଜୁଲାଇ ଶେଷ ସୁଦ୍ଧା ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଜିଲା ଶିକ୍ଷା ବିଭାଗ ଓ ପ୍ରଶାସନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଅଦ୍ୟାବଧି ତାହା ପୂରଣ ହୋଇନାହିଁ। ଏପରି କି ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ ଅନୁଦାନ ମଧ୍ୟ ମିଳିନାହିଁ। ବିଦ୍ୟାଳୟରେ କୌଣସି ଆସବାବପତ୍ର ନ ଥିବାରୁ ଷଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରମାନେ ତଳେ ବସି ପାଠ ପଢ଼ୁଛନ୍ତି। ଜିଲା ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରି ମୌଳିକ ସୁବିଧା ଗୁଡ଼ିକ ପୂରଣ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ଗତ ଜୁଲାଇ ୩୧ରେ ହୋଇଥିବା ଅଭିଭାବକ ଓ ଶିକ୍ଷକଙ୍କ ବୈଠକରେ ଦାବି ଗୁଡ଼ିକ ଉପରେ କୌଣସି ଆଲୋଚନା ହୋଇ ନ ଥିଲା। ତଥାପି ବିଦ୍ୟାଳୟ କର୍ତ୍ତୃପକ୍ଷ ଚଞ୍ଚକତା କରି ସାଧା କାଗଜରେ ଅଭିଭାବକମାନଙ୍କ ଦସ୍ତଖତ ନେଇଥିଲେ। ବିଦ୍ୟାଳୟରେ କୌଣସି କମିଟି ଗଠନ କରାଯାଇ ନାହିଁ। ଆଦର୍ଶ ବିଦ୍ୟାଳୟରେ ଏଭଳି ସଙ୍ଗିନ ସମସ୍ୟା ଥିବାରୁ ଜିଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

Share